ବୌଦ୍ଧ: ବଡ ଠାକୁରଙ୍କ ଘୋଷଯାତ୍ରା ପାଇଁ ରଥକାଠ ଯୋଗାଇ ଆସୁଥିବା ବୌଦ୍ଧକୁ ପ୍ରଥମଥର ପାଇଁ ଶ୍ରୀକ୍ଷେତ୍ରରୁ ଆସି ରଥଚକ । ରଥଚକକୁ ସ୍ବାଗତ କରିବା ପାଇଁ ଦିନ ତମାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଥିଲା । ବେଶ ଆନନ୍ଦ ଉଲ୍ଲାସର ସହିତ ସ୍ବାଗତ କରିଥିଲେ ରଥଚକ ସ୍ବାଗତ କରିଥିଲେ ଶ୍ରଦ୍ଧାଳୁ । ପଞ୍ଚାୟତିରାଜ ମନ୍ତ୍ରୀ ଏହି ସ୍ବାଗତ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।
ନୀଳମାଧବଙ୍କ ଉପାସନାର ପୀଠ: ଶ୍ରୀଜଗନ୍ନାଥଙ୍କ ଆଦି ରୂପ ଶ୍ରୀ ନୀଳମାଧବଙ୍କ ଅନନ୍ୟ ଉପାସନାର ପୀଠ ବୌଦ୍ଧ ଜିଲ୍ଲା । ହଜାରେ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପ୍ରଭୁ ନୀଳମାଧବଙ୍କ ପ୍ରାଚୀନ ମନ୍ଦିର ଗନ୍ଧରାଡୀ ଠାରେ ରହିଥିବା ବେଳେ ତାଙ୍କ ଉପାସନା ପ୍ରଚଳିତ ହୋଇ ଆସିଛି । ଏହାଛଡା ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଶ୍ରୀଜଗନ୍ନାଥ ମନ୍ଦିର ଓ ଉପାସନା କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି । ବୈଷ୍ଣବୀୟ ଉପାସନାର ଅନନ୍ୟ ପୀଠ ବୌଦ୍ଧ ସହରରେ ମଧ୍ୟ ବିରାଜମାନ ଚତୁର୍ଦ୍ଧା ବିଗ୍ରହ ଦୁର୍ମୂଲ୍ୟ ଚନ୍ଦନ କାଠରେ ନିର୍ମିତ ହୋଇଥିବା ବେଳେ ବୌଦ୍ଧର ରଥଯାତ୍ରା ସମ୍ପୂର୍ଣ୍ଣ ନିଆରା ।
ବୌଦ୍ଧରୁ ଯାଏ ରଥକାଠ: ଗତ 2017 ମସିହା ଠାରୁ ପ୍ରତ୍ୟେକ ବର୍ଷ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ଶ୍ରୀକ୍ଷେତ୍ର ଘୋଷଯାତ୍ରାର ରଥ ନିମନ୍ତେ ରଥକାଠ ଯାଏ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଧଉରା, ଅସନ ଓ ଫାସୀ ଗଛ ରହିଥିବା ବେଳେ ବିଭିନ୍ନ ସମୟରେ ଜିଲ୍ଲାର ଅନେକ ସ୍ଥାନରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଯୋଜନାରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଛି । ଚଳିତ ବର୍ଷ ମଧ୍ୟ ବୌଦ୍ଧରୁ ପୁରୀକୁ ଅକ୍ଷୟ ତୃତୀୟା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ରଥକାଠ ପଠାଯାଇଥିଲା ।
ପ୍ରଥମଥର ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ରଥଚକ: ପ୍ରଥମଥର ପାଇଁ ଶ୍ରୀକ୍ଷେତ୍ରର ରଥଚକ ବୌଦ୍ଧକୁ ଆସିଛି । ଶ୍ରୀକ୍ଷେତ୍ର ଘୋଷଯାତ୍ରାର ବଡଭାଇ ବଳଦେବଜୀଉଙ୍କ ରଥର ଏକ ଚକକୁ ସ୍ବତନ୍ତ୍ର ସୁସଜ୍ଜିତ ଗାଡିରେ ଗତକାଲି ବୌଦ୍ଧକୁ ଅଣାଯାଇଥିଲା । ବୌଦ୍ଧ ଜିଲ୍ଲାର ପ୍ରବେଶ ସ୍ଥାନ ବଦଲାସାହି ଠାରୁ ନେଇ ବୌଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରଥଚକକୁ ଭବ୍ୟ ସ୍ବାଗତ କରାଯାଇଥିଲା । ବାରିଙ୍ଗି,ଆଢେଣୀଗଡ, ଠିଡିକାଯୋର, ଚାରିଛକ, ପୁରୁଣାକଟକ, ଲୁଣିବାହାଲ, ହରେକୃଷ୍ଣ ପୁର,ବୀରନରସିଂପୁର ମଥୁରା ବୌଦ୍ଧର ବିଭିନ୍ନ ସ୍ଥାନରେ ଏହି ଦିବ୍ୟ ରଥଚକକୁ ଶ୍ରଦ୍ଧାଳୁ ମାନେ ସ୍ବାଗତ କରିଥିଲେ । ଏହି ଦିବ୍ୟ ସ୍ବାଗତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତ୍ୟେକ ସ୍ଥାନରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ଏହି ପବିତ୍ର ରଥଚକ ବୌଦ୍ଧର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନାର୍ଥେ ରଖାଯିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ