ବୌଦ୍ଧ: ଏଣିକି ଆଶା ମାଆ ଭାବେ ପରିଚିତ ହେବେ ଆଶା ଦିଦି । ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବୌଦ୍ଧ ଜିଲ୍ଲାପାଳ ଆଶାକର୍ମୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଶା ଦିଦିରୁ ଆଶା ମାଆ ଭାବେ ପରିଚିତ ହେବେ ବୋଲି କହିଛନ୍ତି । ଏନେଇ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କହିଛନ୍ତି, "ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ଆଶା ଦିଦି ଓ ଅଙ୍ଗନବାଡି ଦିଦିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଠାରୁ ନେଇ ସରକାରଙ୍କ ସମସ୍ତ ଯୋଜନା ତଳ ସ୍ତରରେ ପହଞ୍ଚାଉଥିବା କର୍ମଚାରୀ ହେଲେ ଆଶା କର୍ମୀ । ଏହି ଆଶାକର୍ମୀ ବା ଦିଦି ଏଣିକି ଆଶା ମାଆ ଭାବରେ ପରିଚୟ ଲାଭ କରିବେ ।"
ଉପାନ୍ତ ଅଞ୍ଚଳରେ ଗର୍ଭାବସ୍ଥାରୁ ନେଇ ମଶାଣିରେ ଜୁଇ ଜଳିବା ପର୍ଯ୍ୟନ୍ତ ସହଯୋଗ କରୁଥିବା ଜଣେ ମହିଳା ହେଲେ ଆଶାକର୍ମୀ । କୁସଂସ୍କାର, ଅନ୍ଧବିଶ୍ୱାସ, ସାମାଜିକ ବାସନ୍ଦ, ବାଲ୍ୟବିବାହ ଭଳି ବିଭିନ୍ନ ବ୍ୟବସ୍ଥାକୁ ତଳ ସ୍ତରରେ ସହଯୋଗ କରି ସହାୟତା କରୁଥିବା ଆଶା ଦିଦି ଏଣିକି ଆଶା ମାଆ ଭାବରେ ପରିଗଣିତ ହେବେ । ସରକାରଙ୍କ ସମସ୍ତ ଯୋଜନାକୁ ତଳ ସ୍ତରରେ ପହଞ୍ଚାଇ ଲୋକଙ୍କ ସୁଖଦୁଃଖରେ ସହାୟ ହେଉଥିବା ଆଶା ଦିଦିଙ୍କ କାର୍ଯ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ।
ଏହା ମଧ୍ୟ ପଢନ୍ତୁ: ଗର୍ଭବତୀ ସ୍ତ୍ରୀକୁ ଗୋଇଠା ମାରି ନେଇଗଲା ଜୀବନ, ପତ୍ନୀହନ୍ତାକୁ ବାନ୍ଧିଲା ପୋଲିସ
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ୧୦୮୭ ଗୋଟି ଗ୍ରାମରେ ପ୍ରାୟ ସାତ ଶହ ଆଶା କର୍ମୀ ରହିଥିବା ବେଳେ ପଞ୍ଚାୟତ ସ୍ତରରେ ତଥା ବିଶେଷ ଭାବରେ ଉପାନ୍ତ ଅଞ୍ଚଳରେ ଏହି ଆଶା ଦିଦିଙ୍କ ଭୂମିକା ସଦାସର୍ବଦା ପ୍ରଶଂସନୀୟ । ଏହି ଆଶାକର୍ମୀଙ୍କୁ ବୁଧବାର ଠାରୁ ବୌଦ୍ଧ ଜିଲ୍ଲାପାଳ ଆଶା ମାଆ ଭାବରେ ପ୍ରଥମଥର ପାଇଁ ପରିଚୟ ପ୍ରଦାନ କରିଛନ୍ତି । ବୁଧବାର ସ୍ଥାନୀୟ ଟାଉନହଲ ଠାରେ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତିର ସମ୍ମିଳନୀ ଅବସରରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଆଶା ଦିଦିମାନଙ୍କୁ ଆଶା ମାଆ ଭାବରେ ପରିବର୍ତ୍ତିତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମାଜରେ ଆଶା ଓ ଅଙ୍ଗନବାଡି ଦିଦିଙ୍କ ଭୂମିକା ସମ୍ପର୍କରେ ଜିଲ୍ଲାପାଳ ନିଜ ବକ୍ତବ୍ୟ ରଖିଥିବା ବେଳେ ଉପାନ୍ତ ଅଞ୍ଚଳରେ ଆଶା ମାଆମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ତଥା ପାରିଶ୍ରମିକକୁ ନେଇ ନିଜ ମନର କଷ୍ଟ ବର୍ଣ୍ଣନା କରିଥିଲେ ।
ଇଟିଭି ଭାରତ, ବୌଦ୍ଧ