ବୌଦ୍ଧ: ଜିଲ୍ଲାର ଦୁଇଟି ବିଭାଗରେ ବ୍ୟାପକ ଦୁର୍ନୀତିକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ବୌଦ୍ଧ ଜିଲ୍ଲାର ଉଦ୍ୟାନ ବିଭାଗରେ ଆମ୍ବଚାଷ ହେବା ନାଁରେ ବେଲ ଗଛ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ ବୌଦ୍ଧ ଜିଲ୍ଲାର ଉପାନ୍ତ ଆଢେଣୀଗଡ ପଞ୍ଚାୟତ ମାଧପୁର ଠାରେ ଜନୈକ ଚାଷୀଙ୍କ ଜମିରେ ଆମ୍ବ ବଗିଚା ନାଁରେ ଦୁଇଟି ବେଲ ଗଛ ଲଗାଇଵା ପରେ ସେଠାରେ ଏକ ସୂଚନା ଫଳକ ମାରି ପ୍ରାୟ ଏଗାର ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି ।
ସେପଟେ ଜିଲ୍ଲା ଜଳଛାୟା ପ୍ରକଳ୍ପ ଅଧିନରେ ରାଉତପଡା ଭଳି କେତେକ ଗ୍ରାମରେ ଆମ୍ବ ଚାଷ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏହାର ମାଷ୍ଟରମାଇଣ୍ଡ ଖୋଦ୍ ପ୍ରକଳ୍ପ ନିର୍ଦ୍ଦେଶକ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛତ୍ରଛାୟା ତଳେ ରହି ବ୍ୟାପକ ଦୁର୍ନୀତି କରି ବଦଳି ହୋଇ ଜିଲ୍ଲାରୁ ଫେରାର ହୋଇଯାଇଛନ୍ତି ।
ଏନେଇ ପୂର୍ବରୁ ଭିଜିଲାନ୍ସ ତଦନ୍ତ ଜାରି ରହିଥିବାବେଳେ ସରକାରୀ ବାବୁ କିଭଳି ରାତି ଅଧିଆ ବଦଳି ହୋଇ ଫେରାର ହେଲେ ସେନେଇ ଉଠିଛି ପ୍ରଶ୍ନବାଚୀ । ତୁରନ୍ତ ଭିଜିଲାନ୍ସ ଏହାର ତଦନ୍ତ କରି ପ୍ରକୃତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ