ବୌଦ୍ଧ: ଜିଲ୍ଲାରେ ଅବହେଳିତ ଅବସ୍ଥାରେ ପଡି ରହିଛି ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ପ୍ରିୟ ବାଉଁଶୁଣୀ ଡାକବଙ୍ଗଳା । ମହାନଦୀ କୂଳରେ ଅତ୍ୟନ୍ତ ମନୋରମ ପରିବେଶ ମଧ୍ୟରେ ଶତାଧିକ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ସାହେବ ବଙ୍ଗଳାଗୁଡି଼କ ବର୍ତ୍ତମାନ ମାଟିରେ ମିଶିବାକୁ ବସିଥିବାରୁ ଏନେଇ ଗଭୀର କ୍ଷୋଭ ପ୍ରକାଶ ପାଇଛି ।
ବୌଦ୍ଧ ଗଡଜାତ ଭଞ୍ଜ ରାଜାମାନେ ମହାନଦୀ କୂଳରେ ପ୍ରାୟ ସାତ କୋଶରେ ଗୋଟିଏ ଗୋଟିଏ ବଙ୍ଗଳା ନିର୍ମାଣ କରାଇଥିଲେ । ସେଗୁଡି଼କ ବ୍ରିଟିଶ ଅଧିକାରୀଙ୍କ ଆକର୍ଷଣର ପ୍ରମୁଖ କେନ୍ଦ୍ର ରହିବା ସହିତ ଶୀତ ଦିନରେ ଶିକାର ଉଦ୍ଦେଶ୍ୟରେ ବିଶେଷ ଭିଡ଼ ରହୁଥିଲା । ବୌଦ୍ଧ ଜିଲ୍ଲାର ବାସୁଦେବପାଲି, ବାଉଁଶୁଣୀ, ତେଲିବନ୍ଧ, ବୌଦ୍ଧ, କରଡି଼, ଧଳପୁର, ହରଭଙ୍ଗା ଓ ଶୀତଳପାଣି ଏପରି ୮ଟି ମହାନଦୀ କୂଳର ମନୋରମ ସ୍ଥାନରେ ବଙ୍ଗଳା ଗୁଡି଼କ ନିର୍ମାଣ ହୋଇଥିଲା ।
ସ୍ବାଧୀନତାର ପରବର୍ତ୍ତୀ ସମୟରେ ଏହି ବଙ୍ଗଳା ଗୁଡି଼କ ଧୀରେ ଧୀରେ ଅବହେଳିତ ହୋଇପଡି଼ଥିଲା । ୨ରୁ ୩ଟି ବଙ୍ଗଳାକୁ ପୁନରୁଦ୍ଧାର କରାଯାଇଥିବା ବେଳେ ଅନେକ ବର୍ତ୍ତମାନ ମାଟିରେ ମିଶିଯିବାକୁ ବସିଛି । ତେବେ ବାଘନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବାଉଁଶୁଣୀ ବଙ୍ଗଳା ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସର୍ବପ୍ରଥମ ପସନ୍ଦ ।
ବିଜୁବାବୁ ଯେତେବେଳେ ମଧ୍ୟ ବୌଦ୍ଧ କିମ୍ବା ପଶ୍ଚିମ ଓଡିଶା ଗସ୍ତ କରୁଥିଲେ ସେତେବେଳେ ସେ ଏହି ବାଉଁଶୁଣୀ ଡାକ ବଙ୍ଗଳାରେ ଅବସ୍ଥାନ କରୁଥିଲେ । କିନ୍ତୁ ବର୍ତ୍ତମାନ ଉକ୍ତ ଡାକ ବଙ୍ଗଳାଟି ଅବହେଳିତ ହୋଇପଡି଼ବା ସହିତ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଜନସାଧାରଣ ଗଭୀର କ୍ଷୋଭ ପ୍ରକାଶ କରିଥିବା ବେଳେ ବରିଷ୍ଠ ନାଗରିକ ପୁରୁଣା ସ୍ମୃତିକୁ ବର୍ଣ୍ଣନା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ