ବୌଦ୍ଧ: କୃଷି ଭିତ୍ତିକ ଜିଲ୍ଲାରେ ଅନୁକୂଳ ହେଲା ଅଖିମୁଠି । ଆଜି ପଵିତ୍ର ଅକ୍ଷୟ ତୃତୀୟା ଅବସରରେ ବିଧାୟକ ଓ ଜିଲ୍ଲାପାଳ ପ୍ରମୁଖ ହଳ ଲଙ୍ଗଳରେ ଚାଷ ସହିତ ଅଖିମୁଠି ଅନୁକୂଳ କରିଥିଲେ। କୃଷି ପ୍ରଧାନ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ଆରମ୍ଭ ହେଲା ଅଖିମୁଠି ଅନୁକୂଳ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୌଦ୍ଧ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ପାଲଝାର ଠାରେ ଆଜି ଜିଲ୍ଲାସ୍ତରୀୟ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ପରିଷଦ ସଭାନେତ୍ରୀ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇଥିଲେ । ବୌଦ୍ଧ ବିଧାୟକ ଓ ଜିଲ୍ଲାପାଳ ଖୋଦ ହଳ ଲଙ୍ଗଳରେ ଚାଷ କରି ଜମିରେ ଧାନ ବୁଣିଥିଲେ । ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଚଳିତ ବର୍ଷ ସମସ୍ତ ଚାଷୀଙ୍କ ସୁଖ ସମୃଦ୍ଧି କାମନା କରିବା ସହିତ ଚାଷୀ କୂଳର ପ୍ରଭୁତ ଉନ୍ନତି ପାଇଁ ସମସ୍ତ ଅତିଥି ବର୍ଗ କାମନା କରିଥିଲେ ।
ବୌଦ୍ଧାରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ