ବୌଦ୍ଧ: କିଛି ଦିନର ବ୍ୟବଧାନ ପରେ ପୁଣି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ । ଆସନ୍ତା 20 ତାରିଖରେ ଓଡ଼ିଶା ସମେତ ପୂର୍ବ ଛତିଶଗଡ଼ ବନ୍ଦ ଡାକରା ଦେଇ ବୌଦ୍ଧ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ପୋଷ୍ଟର ଲଗାଇଛନ୍ତି । ଗତକାଲି(ବୁଧବାର) ବୌଦ୍ଧ ଜିଲ୍ଲାର ସୀମାନ୍ତ ବନ୍ଧଗୋରା ସେତୁର ବାଡାରେ ମାଓ ସଂଗଠନ ପକ୍ଷରୁ ବ୍ୟାନର ଜାରି କରାଯାଇଥିବା ଦେଖିବାକୁ ମିଳିଥିଲା ।
ଏଥିରେ ମାଓବାଦୀ ମାନେ ବନ୍ଦକୁ ସଫଳ ପାଇଁ ଆହ୍ବାନ ଦେବା ସହିତ ମୁକୁନ୍ଦ କହଁରଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିବା ସହିତ ପୋଲିସ ଓ ସିଆରପିଏଫ ବିରୋଧରେ ଲଢେ଼ଇ ପାଇଁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବନ୍ଧଗୋରା ସମେତ ପଡୋଶୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ତୁମୁଡିବନ୍ଧ ବ୍ଲକର ଅନେକ ସ୍ଥାନରେ ଆସନ୍ତା 20 ତାରିଖ ବନ୍ଦ ପାଇଁ ମାଓବାଦୀଙ୍କ ପକ୍ଷରୁ ଆହ୍ବାନ ସମ୍ପର୍କିତ ବ୍ୟାନର ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ତେବେ ଏ ସମ୍ପର୍କରେ ବୌଦ୍ଧ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ