ବୌଦ୍ଧ: ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ବିକାଶରେ ବାଧକ ସାଜିଛି ପାହାଡ଼ିଆ ଅଞ୍ଚଳ ଝରଣା । ଗମନାଗମନର ଅବ୍ୟବସ୍ଥା ହେତୁ ଟିକରପଡା ପଞ୍ଚାୟତର 7 ଖଣ୍ଡ ଗ୍ରାମର ଅଧିବାସୀ ବର୍ଷା ଋତୁରେ ବିଛିନ୍ନାଞ୍ଚଳବାସୀଙ୍କ ଭଳି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଏସବୁ ଅଞ୍ଚଳକୁ ବିଛିନ୍ନ କରୁଥିବା ପାହାଡିଆ ଝରଣା ଉପରେ ଏକ ସେତୁ ନିର୍ମାଣ ପାଇଁ ବର୍ଷ ଆରମ୍ଭରେ ଶିଳାନ୍ୟାସ କରାଯାଇଥିଲା । ହେଲେ ଏନେଇ କୌଣସି କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଫଳରେ ପୁଣିଥରେ ବର୍ଷା ଋତୁରେ ଅଞ୍ଚଳର ଅଧିବାସୀ ବିଛିନ୍ନାଞ୍ଚଳର ଜୀବନ ବିତାଇବେ ।
ତେବେ ବିକାଶରେ ବାଧକ ସାଜିଥିବା ପାହାଡିଆ ଝରଣା ଉପରେ କେବେ ନିର୍ମାଣ ହେବ ସେତୁ ? ଏଭଳି କିଛି ପ୍ରଶ୍ନର ଗୋଲକଧନ୍ଦାରେ ଛନ୍ଦି ହୋଇଛନ୍ତି 7 ଖଣ୍ଡ ଗ୍ରାମର ଅଧିବାସୀ । ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ପୁଣିଥରେ ବିଛିନ୍ନାଞ୍ଚଳବାସୀଙ୍କ ଭଳି ଜୀବନ ବିତାଇବାକୁ ବାଧ୍ୟ ହେବେ ବଣପାହାଡ଼ ଘେରା ଅଞ୍ଚଳର ଗ୍ରାମବାସୀ । ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଦମଣ୍ଡା ଓ୍ବାର୍ଡ ଅଧିନରେ ଥିବା ପ୍ରାୟ ସାତଖଣ୍ଡ ଗ୍ରାମର ଅଧିବାସୀଙ୍କ ପାଇଁ ଓକରାସାହି ନାଳ ଦୁଃଖ ଦେଇ ଆସିଛି ।
ବର୍ଷର ଅନ୍ୟ ଦିନରେ ଯେମିତି ସେମିତି ଚଳିଯାଏ । କିନ୍ତୁ ବର୍ଷା ଦିନରେ ଏହି ପାହାଡିଆ ଝରଣାରେ ପ୍ରାୟ ୧୦ଫୁଟ ଉଚ୍ଚରେ ଜଳପ୍ରବାହ ଯୋଗୁଁ ଏସବୁ ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ରହିଥାଏ । ଏସବୁ ଦୁର୍ଗମ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ପହଞ୍ଚି ପାରି ନ ଥିବା ବେଳେ ପ୍ରାଥମିକ ଶିକ୍ଷା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନ ଥିବା ହେତୁ ସେସବୁ ଅଞ୍ଚଳର ଅଧିବାସୀ ଝରଣା ଡେଇଁ ମଲ୍ଲିକପଡା, ବହଲପଡା, ବୁରଗୋରା ଅଞ୍ଚଳକୁ ଆସିଥାନ୍ତି । ଶେଷ ଭାବରେ ଗର୍ଭବତୀ ମହିଳା ଓ ଛୋଟ ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ଜୀବନକୁ ବାଜି ଲଗାଇ ଆସିବାକୁ ପଡିଥାଏ ।
ଏହା ମଧ୍ୟ ପଢନ୍ତୁ- ଉପାନ୍ତରେ ସରକାରୀ ଯୋଜନା ଫେଲ୍, ପାଣି ପାଇଁ ଡହଳବିକଳ ଲୋକେ
ବିଜୁ ସେତୁ ଯୋଜନାରେ ପ୍ରାୟ ତିନି କୋଟି ଟଙ୍କାରେ ଏକ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଗତ ଜାନୁଆରୀ ୨ତାରିଖରେ ଶିଳାନ୍ୟାସ ପ୍ରଦାନ କରାଯାଇଥିଲା । କିନ୍ତୁ ଦୀର୍ଘ ୭ ମାସ ପରେ ମଧ୍ୟ ଉକ୍ତ ସ୍ଥାନରେ ମାଟି ମୁଠାଏ ଆଜି ପର୍ଯ୍ୟନ୍ତ ପଡି ନ ଥିବା ବେଳେ ସେତୁ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ସେନେଇ ଦ୍ବନ୍ଦରେ ସ୍ଥାନୀୟ ଅଧିବାସୀ । ସେପଟେ ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଓକରାସାହି ନାଳରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ପୁଣିଥରେ ଦମଣ୍ଡା ଅଞ୍ଚଳର ସାତ ଖଣ୍ଡ ଗ୍ରାମବାସୀ ଜଳବନ୍ଦୀ ହୋଇ ବିଛିନ୍ନାଞ୍ଚଳବାସୀଙ୍କ ଭଳି ଜୀବନ ବିତାଇବାକୁ ବାଧ୍ୟ ହେବେ । ସେପଟେ ସେତୁ ନିର୍ମାଣକୁ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଆଗାମୀ ବର୍ଷା ଋତୁ ପରେ ଏହାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ