ବୌଦ୍ଧ: ଚିନ୍ତାରେ ଚାଷୀ । ବୌଦ୍ଧ ଜିଲ୍ଲାର ଷାଠିଏ ଗୋଟି ଧାନକ୍ରୟ କେନ୍ଦ୍ରରେ ଧାନକ୍ରୟ ଆରମ୍ଭ ହୋଇଛି । ହେଲେ ଅନେକ ସ୍ଥାନରେ ଚାଷୀଙ୍କ ଅପେକ୍ଷା ବେପାରୀ ଓ ଦଲାଲଙ୍କ ଧାନବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହାକୁ ପ୍ରତିବାଦ ଜଣାଇ ଜିଲ୍ଲା ବିଜେପି ପକ୍ଷରୁ ଆଜି(ଶନିବାର) ରାଜରାସ୍ତାକୁ ଓହ୍ଲାଇଛି ଦଳ । ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ସେତୁଛକ ପ୍ରମୁଖ ସ୍ଥାନରେ ବିଜେପିର ନେତା ଓ କର୍ମୀ ତିନି ଘଣ୍ଟା ଧରି 57 ନମ୍ବର ଜାତୀୟ ରାଜପଥ ଅବରୋଧ କରି ଚକାଜାମ କରିଥିଲେ ।
ବିଭିନ୍ନ ଧାନମଣ୍ଡିରେ ଟୋକନ ସମସ୍ୟା ସହ ଟାର୍ଗେଟ ସରିବାକୁ ବସିଥିବାବେଳେ ଚାଷୀଙ୍କ ଧାନ କ୍ରୟ ହୋଇ ନଥିବା ଅଭିଯୋଗ ହୋଇଛି । ଏଥିପାଇଁ ସମବାୟ ବିଭାଗ ଓ ଯୋଗାଣ ବିଭାଗକୁ ବିଜେପି ଦାୟୀ କରିଛି । ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ଚାଷୀଙ୍କ ଧାନବିକ୍ରି ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ