ବୌଦ୍ଧ: ନବମ ଶ୍ରେଣୀ ଛାତ୍ରୀ ନିଖୋଜ ହେବା ଘଟଣାର ତଦନ୍ତ ଆରମ୍ଭ । ଗତ ଦୁଇ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଢେଣୀଗଡ ବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ହେବା ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫାଣ୍ଡିରେ ଏତଲା ଦେଇଥିବାବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଶୁକ୍ରବାର ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଦୁଇ ଜଣ ସଦସ୍ୟ ବୌଦ୍ଧ ଜିଲ୍ଲା ଗସ୍ତ କରି କୋମଳମତି ଶିଶୁଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିବାବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ନିଖୋଜ ଛାତ୍ରୀ ଜଣଙ୍କ ବଘିଆପଡା ପଞ୍ଚାୟତର ଗୁଡବାହାଲି ଗ୍ରାମର ଝରାଶ୍ରୀ ମହାନନ୍ଦିଆ ବୋଲି ସୂଚନା ମିଳିଛି । ତେବେ କେଉଁ କାରଣରୁ ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଶନିବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ନିଖୋଜ ସମ୍ପର୍କରେ ପୁରୁଣାକଟକ ଥାନା ଅନ୍ତର୍ଗତ ଆଢେଣୀଗଡ ଫାଣ୍ଡିରେ ଏତଲା ଦେଇଥିବାବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ବିନୋଦ ଚନ୍ଦ୍ର ନାୟକ ବିଦ୍ୟାଳୟରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ