ବୌଦ୍ଧ: ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଦୀର୍ଘ 92 ବର୍ଷର ଏହି ପ୍ରାଚୀନ ବିଦ୍ୟାଳୟରେ ବିଭିନ୍ନ ଅସୁବିଧା ଲାଗି ରହୁଥିବାବେଳେ ପରିସରରେ ଥିବା କସ୍ତୁରବା ଆବାସିକ ବିଦ୍ୟାଳୟର ଛାତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
92 ବର୍ଷ ପୂର୍ବେ ଏହି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବୌଦ୍ଧ ରାଜା ଏଠାରେ ଏହି ବିଦ୍ୟାଳୟଟିକୁ ସ୍ଥାପନ କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି । ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ସାଙ୍ଗକୁ ପରିବେଶ ଅତ୍ୟନ୍ତ ଅପରିଷ୍କାର ତଥା ବିପଦସଙ୍କୁଳ ହୋଇପଡିଛି ।
ଏହା ସହିତ ବିଦ୍ୟାଳୟ ପରିସରରେ 10 ବର୍ଷ ତଳେ ଆଉ ଏକ କସ୍ତୁରବା ଗାନ୍ଧୀ ଆବାସିକ ସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏହାର ପାଚେରୀ ନଥିବାରୁ ଏଠାକୁ ଯେକୌଣସି ସମୟରେ କେହି ବି ଅନାୟାସରେ ପ୍ରବେଶ କରିପାରୁଛି । ଫଳରେ ଏଠାରେ ରହୁଥିବା ଛାତ୍ରୀମାନେ ଅସୁରକ୍ଷିତ ଥିବା ଅଭିଯୋଗ ହୋଇଛି । ଏହି ପ୍ରାଚୀନ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ