ବୌଦ୍ଧ: ବୟସ 80 ଟପିଲାଣି । ପୁଅ ଝିଅଙ୍କୁ ନେଇ ତାଙ୍କର ଗୋଟିଏ ହସିଲା ଖେଳିଲା ସଂସାର ଥିଲା । କିନ୍ତୁ ପରିଣତ ବୟସ ହୋଇଯିବାରୁ ସମସ୍ତଙ୍କ ପାଇଁ ଆଜି ସେ ଅଲୋଡ଼ା । ଗୋଟିଏ ପଟେ ପରିବାର ଅନ୍ୟପଟେ ପ୍ରାପ୍ତ ବୟସର ତାଡନା । ଯାହାକୁ ନେଇ ଅସହାୟ ଭାବେ ଜୀବନ ଜିଉଁଛନ୍ତି ଲତା । ଏହି ବୃଦ୍ଧାଙ୍କ ପାଖରେ ନାଁ ଅଛି ଘର ନା ଅଛି ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ।
ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୧୦୦ ମିଟର ଦୂରରେ ବାସ କରୁଛନ୍ତି 80 ବର୍ଷର ବୃଦ୍ଧା ମହିଳା ଲତା ରଣା । ଦିନ ଥିଲା ପରିବାରର ସମସ୍ତ କାମଧାମ ସହ ସମସ୍ତଙ୍କ ପ୍ରିୟପାତ୍ର ଥିଲେ ଲତା । କିନ୍ତୁ ବୟସ ଅଧିକ ତଥା ଦୁଇ ବର୍ଷ ତଳେ ଗୋଡ ଭାଙ୍ଗି ଯିବା ହେତୁ ସେ ପରିବାର ପାଇଁ ସତେ ଯେପରି ଅଲୋଡା ହୋଇଯାଇଛନ୍ତି ।
ଅନ୍ୟପଟେ ନିଜ ପିଲାର ଅମଙ୍ଗଳ ଚିନ୍ତା ନକରି ଲତା ପିଲାମାନଙ୍କ ଗରିବୀ କଥାକୁ କ୍ୟାମେରା ସାମ୍ନାରେ ବଖାଣିଛନ୍ତି । ଯାହାକୁ କୁହାଯାଏ ପିଲାମାନଙ୍କ ପାଇଁ ମା ମନର ଆକୁଳତା । ତେବେ ଗୋଟିଏ ନିଉଚାଣି ଦଦରା ଚାଳ ଘରେ ଅତ୍ୟନ୍ତ ଅସହାୟ ହୋଇ ପଡିରହିଥିବା ଲତାଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ସେ ଉପକୃତ ହୋଇପାରିବେ ବୋଲି ତାଙ୍କ ପଡୋଶୀ ଦାବି କରି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ