ବୌଦ୍ଧ: ଶୁକ୍ରବାର ବୌଦ୍ଧ ଜିଲ୍ଲା ଗସ୍ତ କରିବେ ରାଜ୍ୟ 5T ସଚିବ ଭିକେ ପାଣ୍ଡିଆନ । ଗ୍ରାଉଣ୍ଡରୁ ସ୍ଥିତି ସମୀକ୍ଷା କରିବା ସହ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଏହି ଗସ୍ତ ସମୟରେ ତାଙ୍କର ବୌଦ୍ଧ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କାର୍ଯ୍ୟକ୍ରମ ଥିବାବେଳେ ଏଥିପାଇଁ ବେଶ ତତ୍ପର ହୋଇ ଉଠିଛି ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ।
ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ମେଡିକାଲରେ ସବୁକିଛି ଠିକ କରିବାକୁ ଯୋରଦାର ପ୍ରୟାସ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ସପ୍ତାହେ ତଳେ ଯେଉଁ ଡାକ୍ତରଖାନାରେ କୁଢକୁଢ ଆବର୍ଜନା ଓ ଅବ୍ୟବସ୍ଥା ଘେରି ରହିଥିଲା ସେହି ସ୍ଥାନରେ ଆଜି ଅତ୍ୟନ୍ତ ସ୍ବଚ୍ଛ ଓ ସବୁକିଛି ଠିକ ଥିବା ଦର୍ଶାଇ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରାଯାଇଛି ।
ଭିକେ ପାଣ୍ଡିଆନଙ୍କ ସହ ସ୍ବାସ୍ଥ୍ୟ ସଚିବ ଓ ବୌଦ୍ଧର ପୂର୍ବତନ ଜିଲ୍ଲାପାଳ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ବୁଧବାର ମାଲକାନଗିରି, କୋରାପୁଟ ଗସ୍ତ କରିଥିବାବେଳେ ଗୁରୁବାର ନୂଆପଡା ଓ ରାୟଗଡା ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ବିଭିନ୍ନ ଜିଲ୍ଲା ଗସ୍ତ କରି ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ତୃଣମୂଳ ସ୍ତରରେ କେମିତି ଏହା କାର୍ଯ୍ୟକାରୀ କରୁଛି । ରୋଗୀଙ୍କ ସମସ୍ୟା ନେଇ ପଚାରି ବୁଝୁଛନ୍ତି । ତେବେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତିର ସମୀକ୍ଷା କରିବାକୁ ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ ।
ଏପଟେ ୯ ନମ୍ବର ଜୋନର ପ୍ରାୟ ଦଶ ଖଣ୍ଡ ପଞ୍ଚାୟତରେ ଡାକ୍ତରଙ୍କ ଅଭାବକୁ ନେଇ ଆସନ୍ତା ଦିନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବାକୁ ଥିବାବେଳେ ଏହି ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳର ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ କଣ ହେବ ତାହାକୁନେଇ ସମସ୍ତେ ଅପେକ୍ଷା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ