ଭଦ୍ରକ: ଜିଲ୍ଲା ବାଂଶଡା ଥାନା ଅଞ୍ଚଳରେ ରାଜନୈତିକ ହିଂସା ଥମିବାରେ ନାଁ ଧରୁନି । ପୂର୍ବ ରାଜନୈତିକ ଶତ୍ରୃତାକୁ କେନ୍ଦ୍ର କରି ଜଣେ ଦଳିତ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆହତ ଯୁବକ ଜଣକ ହେଉଛନ୍ତି ସନାତନ ମହାଳିକ । ଏନେଇ ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତ ସରପଞ୍ଚ ଓ ତାଙ୍କ ଭାଇ ନିଲମ୍ବିତ ଜିଆରଏସଙ୍କ ସମେତ 15 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଧରିବାରେ ବିଫଳ ହୋଇଛି । ତେଣୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନି ଦିଆଯାଇଛି ।
ଅଭିଯୋଗ ମୁତାବକ, ସନାତନ ମହାଳିକ ଗଦି ବଜାରରୁ ଘରକୁ ଫେରୁଥିବା ବେଳେ ରାଜନୈତିକ ଶତୃତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ସ୍ଥାନୀୟ ହରିଚନ୍ଦନପୁର ହନୁମାନ ଛକରେ ଅଟକାଇ ତାଙ୍କୁ ମାରିବା ସହିତ ବଳପୂର୍ବକ ତାଙ୍କୁ ନିଲମ୍ବିତ ଜିଆରଏସ ପୁରୋସ୍ତମ ବାରିକଙ୍କ ଘରକୁ ନେଇ ଯାଇଥିଲେ । ସେଠାରେ ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସନାତନଙ୍କୁ ଜୀବନରୁ ମାରି ଦେବା ଉଦ୍ଦେଶ୍ୟରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ଏହାବି ପଢନ୍ତୁ: ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ
ପ୍ରବଳ ରକ୍ତଶ୍ରାବ ହେବା ପରେ ସନାତନ ଚେତାଶୂନ୍ୟ ହେବା ପରେ ଗୋଡକୁ ଫାର୍ସାରେ ହଣା ଯାଇଥିଲା । ସନାତନକୁ ମୃତ ଭାବି ରାସ୍ତାରେ ଫିଙ୍ଗି ଦେଇଥିଲେ । ତେବେ ମୂମୁର୍ଷ ଅବସ୍ଥାରେ ସ୍ଥାନୀୟ ଲୋକେ ସନାତନଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସନାତନଙ୍କ ଭଉଣୀ କବିତା ମହାଳିକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ନିଲମ୍ବିତ ଜିଆରଏସ ପୁରସ୍ତୋମ ବାରିକ, ଗୋପିନାଥପୁର ସରପଞ୍ଚ ବାପୁନ ବାରିକଙ୍କ ସମେତ 15 ଜଣଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି । ସେମାନଙ୍କ ମଧ୍ୟରୁ ଛୁଟା ଓରଫ୍ ବିଚିତ୍ର ସାହୁ, ରାଜେନ୍ଦ୍ର ସାହୁ ଓ ସତ୍ୟ ପ୍ରକାଶ ବାରିକଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଏହି ଘଟଣାକୁ ଚାନ୍ଦବାଲି ଏସଡିପିଓ ତଦନ୍ତ କରୁଥିବା ଜଣାପଡିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଇଟିଭି ଭାରତ,ଭଦ୍ରକ