ଭଦ୍ରକ: ଭୋଟର ତାଲିକା ସଂଶୋଧନ ପକ୍ରିୟା ଜିଲ୍ଲାରେ ଆରମ୍ଭ ହୋଇଛି । ଯାହାକି ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝି ସୂଚନା ଦେଇଛନ୍ତି । ଯେଉଁମାନଙ୍କ ନାଁ ଭୋଟର ଲିଷ୍ଟରେ ନଥିବ କିମ୍ବା ଯେଉଁ ବ୍ୟକ୍ତିମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ ସେମାନେ ସଂଶୋଧନ କରିପାରିବେ ।
ଯେଉଁମାନେ ଭୋଟର ତାଲିକାରୁ ନାଁ କାଟିବାକୁ ଚାହୁଁଥିବେ ସେମାନେ ଆବେଦନ କରିପାରିବେ । ଅନ୍ୟପଟେ ଜାନୁଆରୀ ପହିଲା ଭିତରେ 18 ବର୍ଷ ହେଉଥିବା ବ୍ୟକ୍ତିମାନେ ଭୋଟର ତାଲିକାରେ ସାମିଲ ହେବେ । ଅନଲାଇନ ମାଧ୍ୟମରେ ଲୋକମାନେ ଘରେ ବସି ଭୋଟର ଲିଷ୍ଟରେ ନାମ ସଂଶୋଧନ କରିପାରିବେ ବୋଲି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଅଫଲାଇନରେ ନିଜେ କୌଣସି ସ୍କୁଲ ବା କେନ୍ଦ୍ରକୁ ଯାଇ ଆବେଦନ କରୁଥିଲେ ଭୋଟର । ହେଲେ ଏବେ ଘରେ ବସି ମୋବାଇଲରେ ୱେବସାଇଟ ଜରିଆରେ ଭୋଟର ଲିଷ୍ଟରେ ନାଁ ସଂଶୋଧନ କରିପାରିବେ । ଏହାପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ କାର୍ଡ ଯୋଗାଇ ଦେବେ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଘରକୁ ଭୋଟର କାର୍ଡ ପଠାଯିବ ।
ତେବେ 2022 ଜାନୁଆରୀ 6 ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏଥିସହ ପାଖ ପଞ୍ଜୀକରଣ କେନ୍ଦ୍ରକୁ ଭୋଟର ଯାଇ ମଧ୍ୟ ନିଜେ ନିଜର ଭୋଟର ତାଲିକା ସଂଶୋଧନ କରିପାରିବେ ବୋଲି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ସର୍ବଦଳୀୟ ବୈଠକରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ