ଭଦ୍ରକ: ହିଂସା ଯେ ମଣିଷର ହିତାହିତ ଜ୍ଞାନକୁ ହଜାଇ ଦିଏ ସେଥିରେ କୌଣସି ସନ୍ଦେହ ନାହିଁ । ଏନେଇ ପୂର୍ବରୁ ଅନେକ ନଜିର ଦେଖିବାକୁ ମିଳିଥିବା ବେଳେ ଭଦ୍ରକ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ନୃଶଂସତାର ଆଉ ଏକ ଉଦାହରଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରତିପକ୍ଷଙ୍କ ଉପଦ୍ରବ କ୍ରମେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ଉଲଗ୍ନ କରିବା ପାଇଁ ପ୍ରୟାସ କରିବା ପରି ସଙ୍ଗୀନ ଅଭିଯୋଗ ହୋଇଛି।
ଏହା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବରାଳ ପୋଖରୀ ହନୁମାନ ସାହି ଗ୍ରାମରେ ଏହି ନାରକୀୟ କାଣ୍ଡ ଘଟିଥିବା ଜଣା ପଡିଛି। ତେବେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ସମ୍ପୃକ୍ତ ମହିଳା ଜଣଙ୍କୁ ଉଦ୍ଧାର କରାଯାଇଛି । ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ମହିଳା ଜଣଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏନେଇ ପୋଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ପ୍ରକାଶ ମିଳିପାରି ନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ