ଭଦ୍ରକ: ୬୧ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ଦୀର୍ଘଦିନ ଧରି କିଡନୀ ରୋଗରେ ଅସୁସ୍ଥ ରହିଥିଲେ । ସୋମବାର ଫୁସ୍ଫୁସ୍ ସଂକ୍ରମଣ ଓ ବ୍ରେନ୍ଷ୍ଟ୍ରୋକ୍ ଯୋଗୁଁ ଏହି ଟାଣୁଆ ନେତାଙ୍କ ଦେହାନ୍ତ ଘଟିଛି । ଏହି ଖବର ବିଷ୍ଣୁ ଚରଣ ସେଠୀଙ୍କ ପୈତୃକ ଗ୍ରାମ ମଙ୍ଗରାଜପୁରରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି(Bishnu Sethi dead body reached to his village) ।
ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ମଙ୍ଗରାଜପୁର ଗାଁର ଗୟାଧର ସେଠୀଙ୍କ ସୁଯୋଗ୍ୟ ସନ୍ତାନ ଥିଲେ ବିଷ୍ଣୁ ଚରଣ ସେଠୀ । ପତ୍ନୀ ଉର୍ମିଳାରାଣୀ ପୁତ୍ର ସୁରଜ ସୂର୍ଯ୍ୟବଂଶୀଙ୍କ ସହ ସେ ବେଶ ଖୁସିରେ ଥିଲେ । 2 ଥର ବିଧାୟକ ଥିବା ବିଷ୍ଣୁ ସେଠୀ ଜଣେ ସାହିତ୍ୟିକ, ଲେଖକ ଓ କବି ଭାବେ ବେଶ ଜଣାଶୁଣା ଥିଲେ । ବିଷ୍ଣୁ ସେଠୀଙ୍କ ପରଲୋକରେ ତାଙ୍କ ପରିବାର ଉପରେ ଚଡ଼କ ପଡ଼ିଛି । କେବଳ ତାଙ୍କ ପରିବାର କାହିଁକି ରାଜ୍ୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ନିଆରା ଢଙ୍ଗରେ ଟାର୍ଗେଟ କରି ଆସୁଥିଲେ । ଜଣେ ସାମ୍ବାଦିକ, କବି, ଲେଖକ ଭାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଉପସ୍ଥାପନା ଶୈଳୀ ଯୋଗୁଁ ସେ ପ୍ରତ୍ୟେକ ନେତାଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ସୋମବାର ସନ୍ଧ୍ୟାରେ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀର ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗରରେ ପହଞ୍ଚିଛି ।
ଭୁବନେଶ୍ବରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଏହାପରେ ତାଙ୍କ ପାର୍ଥିବ ଶରୀର ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗରରେ ପହଞ୍ଚିଛି । ବିଳମ୍ବିତ ରାତିରେ ତାଙ୍କ ଶେଷ କୃତ୍ୟ କରାଯିବ ବୋଲି ଜଣାପଡ଼ିଛି । ଭଦ୍ରକ ସଂସାଦ ମଞ୍ଜୁଲତା ମଣ୍ଡଳ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି । ସେ ଏକାଧାରରେ ଜଣେ ରାଜନେତା ସହ ଜଣେ ଓଡ଼ିଆ ସାହିତ୍ୟିକ, ସଫଳ ସାମ୍ବାଦିକ ଥିଲେ । ଏହି ଲୋକପ୍ରିୟ ରାଜନେତା ସର୍ବଦା ମନେ ରହିବେ । ଭଦ୍ରକ ମାଟି ପାଇଁ ଏହାଏକ ଅପୁରଣୀୟ କ୍ଷତି ।"