ଭଦ୍ରକ: 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତରେ ଆଜି ସମଗ୍ର ଓଡିଶା ହେବ ଗୁଞ୍ଜରିତ । କୋରାନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହିପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସଙ୍ଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭିଟାମାଟି ଭଦ୍ରକ ଆଜି ଏନେଇ ଗର୍ବିତ । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ମାନବ ଶୃଙ୍ଖଳ ଗଠନ କରି ନିଆରା ଢଙ୍ଗରେ ସଙ୍ଗୀତ ଗାନ କରିବାର ଯୋଜନା ହୋଇଛି ।
ଶ୍ରୀ ଗୋପୀନାଥ ଜୀଉ ଓ ରାଧାରଣୀ ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଇଷ୍ଟଦେବ । ତାଙ୍କୁ ସ୍ମରଣ କରି ଆରମ୍ଭ କରୁଥିଲେ ଲେଖନୀ । ଓଡିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ ଓ ବ୍ୟଙ୍ଗ ସାହିତ୍ୟ ଆଦିରେ ସେ ଲେଖନୀ ଚାଳନା କରୁଥିଲେ । ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ 'କଣାମାମୁଁ' ଓ କ୍ଷୁଦ୍ରଗଳ୍ପ 'ବୁଢା ଶଙ୍ଖାରୀ' ପାଇଁ ଓଡିଶାର ଘରେ ଘରେ ପରିଚିତ । ସେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଭକ୍ତି କବିତା ରଚନା କରିଥିଲେ । ସେଗୁଡିକ ମଧ୍ୟରୁ 33 ରୁ ଅଧିକ ଦେଶପ୍ରେମ କବିତା ଅଛି । ଏହା ଭିତରୁ 2ଟି ଜଣାଶୁଣା କବିତା ହେଲା 'ବନ୍ଦେ ଉତ୍କଳ ଜନନୀ' ଓ 'ସବୁଥିରୁ ବଞ୍ଚିତ କରି କେଉଁ ଯଶ ବଣା ଉଡାଇବ ହେ।' ସ୍ଵତନ୍ତ୍ର ଓଡିଶା ଗଠନ ପାଇଁ ଏହି ପ୍ରେରଣା ଯୋଗାଇଥିଲା । ବନ୍ଦେ ଉତ୍କଳ ଜନନୀ ଅଭିଭକ୍ତ ବାଲେଶ୍ଵର ଜିଲ୍ଲାରେ ଆୟୋଜିତ ଉତ୍କଳ ସମ୍ମିଳନୀରେ 1912 ମସିହାରେ ପ୍ରଥମେ ଗାନ କରଯାଇଥିଲା । ମଧୁସୂଦନ ଦାସ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଏହି ବନ୍ଦେ ଉତ୍କଳ ଜନନୀ ସ୍ଵତନ୍ତ୍ର ଓଡିଶା ଗଠନ ପାଇଁ ବେଶ ପ୍ରେରଣା ଯୋଗାଇଥିଲା । ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀକୁ ଏବେ ଆନୁଷ୍ଠାନିକ ଭାବେ ରାଜ୍ୟ ସଙ୍ଗୀତ ଭାବେ ଗାନ କରାଯାଉଛି ।
କାନ୍ତକବି ମାତ୍ର 25 ବର୍ଷ ବୟସରେ ଦୂରାରୋଗ୍ୟରେ ଆକ୍ରାନ୍ତ ହୋଇଥିଲେ । ଧନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବି ଜମିଦାରୀ ଚାଲିଯିବା ପରେ ସେ ଆର୍ଥିକ ଅନଟନ ଭୋଗିଥିଲେ । 1953 ମସିହା ଫେବୃୟାରୀ 24 ତାରିଖ ଦିନ ସେ ଇହଧାମ ତ୍ୟାଗ କରିଥିଲେ ।
କୋରୋନା ବିପତ୍ତିରୁ ରାଜ୍ୟବାସୀଙ୍କୁ ମୁକୁଳାଇବାକୁ ପ୍ରୟାସ ରଖିଥିବା ଯୋଦ୍ଧାମାନଙ୍କୁ ଏହି କବିତା ମାଧ୍ୟମରେ ସମ୍ମାନିତ କରାଯିବ । କାନ୍ତକବିଙ୍କ ଭିଟାମାଟି ଭଦ୍ରକ ଜିଲ୍ଲାରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ସନ୍ଧ୍ୟା 5 ଟା 30 ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତେ ଗାନ କରିବେ 'ବନ୍ଦେ ଉତ୍କଳ ଜନନୀ' । ଏହି ସମୟରେ ମାନବ ଶୃଙ୍ଖଳ କରି 'ବନ୍ଦେ ଉତ୍କଳ ଜନନୀ ଗାନ' କରିବେ ଭଦ୍ରକ ବାସୀ । ଏଥି ପାଇଁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଭଦ୍ରକବାସୀ ଙ୍କୁ ମାନବ ଶୃଙ୍ଖଳରେ ସାମିଲ ହେବ ପାଇଁ ଅନୁରୋଧ କରିଛନ୍ତି । ଭଦ୍ରକ ସହରର ମହତାବ ଛକ ନିକଟରୁ ଚରମ୍ପା ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ବରେ ମାନବଶୃଙ୍ଖଳ ଗଠନ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିବେ । ସେହିଭଳି ରାଜଘାଟ ଛକରୁ ବାଙ୍କା ବଜାର ଓ ଟାଉନହଲ ଛକରୁ ଭଦ୍ରକ କଲେଜ ଗେଟ ପର୍ଯ୍ୟନ୍ତ ମାନବ ଶୃଙ୍ଖଳରେ ରହି ଗାନ କରିବେ ଏହି ସଙ୍ଗୀତ । ମାନବଶୃଙ୍ଖଳ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ଅବଲମ୍ବନ କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି ।
ଏହି କାଳଜୟୀ ସଙ୍ଗୀତ ସମଗ୍ର ଓଡିଶାକୁ ଏକ ସୂତ୍ର ଓ ଏକ ବନ୍ଧନରେ ବାନ୍ଧି ରଖିଛି । ଏହି ସଙ୍ଗୀତର ମୂର୍ଚ୍ଛନା ପ୍ରତ୍ୟେକ ଓଡିଆଙ୍କ ମନକୁ ଆନ୍ଦୋଳିତ କରିବା ସହ ଗର୍ବିତ କରିଥାଏ । 1912 ମସିହାରେ ଏହାର ରଚନା କରିଥିବା ରଚୟିତା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦୂରଦୃଷ୍ଟି ପ୍ରକୃତରେ ପ୍ରସଂଶନୀୟ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ