ଭଦ୍ରକ: କ୍ବାରେଣ୍ଟାଇନ ସେଣ୍ଟରରେ ସାମାଜିକ ଦୁରତ୍ବକୁ ଫୁ କରି ଚାଲିଛି ଟିକଟିକ ମସ୍ତି । ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଭଦ୍ରକ ତିହିଡି ଵ୍ଲକ ଭାଟପଡା ପଞ୍ଚାୟତ କ୍ବାରେଣ୍ଟାଇନ ସେଣ୍ଟରରୁ । ଏଠାରେ ରହୁଥିବା ପ୍ରବାସୀ ଓଡିଆ ମାନେ ଟିକଟକ ଭିଡିଓ କରିବାରେ ବ୍ୟସ୍ତ । କିଏ ଗୀତ ଗାଇ ଯାତ୍ରାର ଡାଇଲଗ କହୁଛି ତ ଆଉ କିଏ କୋଳାକୋଳି ହୋଇ ପରସ୍ପରକୁ ଆଲିଙ୍ଗନ କରୁଛି। ଏମାନେ ମଧ୍ୟରୁ କେହି ବି ମୁହଁରେ ମାସ୍କ ଲଗାଇ ନାହାନ୍ତି କି ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରୁନାହାଁନ୍ତି ।
କୋରୋନା ମହାମାରୀ ପାଇଁ ଏବେ ସାରା ବିଶ୍ବ ଲଢେଇ କରୁଛି। ବର୍ତ୍ତମାନ ଭଦ୍ରକ, ବାଲେଶ୍ଵର ଓ ଯାଜପୁର ଜିଲ୍ଲା ରେଡ ଜୋନ ରହିଛି। ଏମାନଙ୍କ ରେଡ ଜୋନର କାରଣ ହେଲେ ଏହି କୋଲକାତା ଫେରନ୍ତା। କୋଲକାତାରୁ ବିଭିନ୍ନ ମାଧ୍ୟମରେ ଘରକୁ ଫେରିବା ପରେ ଏହି ପ୍ରବାସୀ ଓଡିଆଙ୍କୁ ସ୍ଥାନୀୟ କ୍ବାରେଣ୍ଟାଇନରେ ରଖାଯାଇଥିଲା ।
ସକାଳୁ ରାତି ପର୍ଯ୍ୟନ୍ତ ଖାଇଵାକୁ ଦିଆଯିଵା ସହ ଵିଭିନ୍ନ ସେଵା ଯୋଗାଇ ଦିଆଯାଉଛି। ଏମାନଙ୍କ ପାଇଁ ଭଦ୍ରକ ସମେତ ସାରା ଓଡିଶା ଆଜି ଆତଙ୍କିତ। ଏମାନଙ୍କ ପାଇଁ ଏତେ ଵ୍ୟଵସ୍ଥା ପରେ ଏମାନେ କ୍ବାରେଣ୍ଟାଇନରେ ରହି ମଉଜ ମସ୍ତି କରିବା ସହ ଟିକଟିକ କରୁଛନ୍ତି।
ଏହି ଭାଟପଡା ପଞ୍ଚାୟତର ତିହିଡି ହାଇସ୍କୁଲରେ ହୋଇଥିବା କ୍ବାରେଣ୍ଟାଇନ କେନ୍ଦ୍ରରେ 9 ଜଣ କୋଲକାତା ଫେରନ୍ତା ଅଛନ୍ତି। ଏମାନଙ୍କ ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ସ୍ଥାନୀୟ ମହିଳା ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା ଏହି 9 ଜଣଙ୍କ ମଧ୍ୟରୁ 6 ଜଣଙ୍କ ନାଁରେ ଏତଲା ଦେଇଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି । ତିହିଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପ୍ରଘଟ ହେବା ପରେ ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ