ଭଦ୍ରକ: ରାଜ୍ୟରେ କୋରୋନା ସଂକ୍ରମଣ ଥମିବାର ନାଁ ଧରୁନି । ମହାମାରୀକୁ ପ୍ରତିହତ କରିବାକୁ ସରକାର ଏଲୋପାଥିକ, ଆୟୁର୍ବେଦିକ ଓ ହୋମିଓପାଥିକ ମାଧ୍ୟମରେ ଚିକିତ୍ସା ଜାରି ରଖିଛନ୍ତି । ସେପଟେ କୋମାରେ ଭଦ୍ରକ ରମ୍ଭିଳା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ । ଡାକ୍ତରଖାନା ନବକଳେବର ହେବାର 17 ବର୍ଷ ପୁରିଛି । ହେଲେ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ନିଜ ଅଞ୍ଚଳର ଡାକ୍ତରଙ୍କୁ ଚିହ୍ନିନଥିବା କହିଛନ୍ତି । ଆଶ୍ଚର୍ଯ୍ୟକର କଥା, ଏନେଇ ଭଦ୍ରକ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ନିକଟରେ କୌଣସି ଖବର ନାହିଁ ।
ବର୍ଷ ତମାମ ଏହି ହସ୍ପିଟାଲ ବନ୍ଦ ରହିବାରୁ ଏହା ଏବେ ଭୂତ କୋଠିରେ ପରିଣତ ହେଇଛି । ଡାକ୍ତର, ଫାର୍ମାସିଷ୍ଟ କିମ୍ବା କର୍ମଚାରୀଙ୍କ ମଧ୍ୟ ଦିନ କାଳେ ଦେଖା ମିଳୁନାହିଁ । ଫଳରେ ଏଠି ରୋଗୀ ବଦଳରେ ଗାଇଗୋରୁ ବୁଲୁଥିବାର ଦେଖିବାକୁ ମିଳେ। ଡାକ୍ତରଖାନା ପରିସର ପାଲଟିଛି ବଣ ଜଙ୍ଗଲ ଘେରା । କାନ୍ଥରେ ମାଡି ଚାଲିଛି ତରୁଲତା, ଦରଭଙ୍ଗା ଅବସ୍ଥାରେ ପଡିଛି ନଳକୂଳ ଓ ଟ୍ୟାପ ପାଣିର ବ୍ୟବସ୍ଥା । ଆଉ ଡାକ୍ତରଖାନାର ଭିତର କଥା ନ କହିବା ଭଲ ।
1972 ମସିହାରେ ଏହି ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିଲା । 2003ରେ ଏହାର ନବ କଳେବର ହୋଇଥିଲା । ଏହି ହସ୍ପିଟାଲ ଦ୍ବାରା ରମ୍ଭିଳା ସମେତ ଆଖପାଖ 4ଟି ପଞ୍ଚାୟତର ପାଖାପାଖି 20 ହଜାର ଲୋକଙ୍କ ସ୍ବାସ୍ଥ୍ୟସେବା ନଜରକୁ ରଖି ଏଠି ଆୟୁର୍ବେଦିକ ଡାକ୍ତରଖାନା ନିର୍ମାଣ କରାଯାଇଥିଲା । ଅଞ୍ଚଳବାସୀଙ୍କ ମନରେ ସୃଷ୍ଟି ହୋଇଥିଲା ନୂଆ ଆଶା। ହେଲେ ଏବେ ତାହା ଜରାଜୀର୍ଣ୍ଣ ହୋଇପଡିଛି । ସରକାରୀ କର୍ମଚାରୀମାନେ ଆଗୁଆ ଉପସ୍ଥାପନା ଖାତାରେ ଦସ୍ତଖସ୍ତ କରି ସରକାରୀ ତହବିଲରୁ ଦରମା ନେଇ ଯାଉଛନ୍ତି । ହେଲେ ଚିକିତ୍ସାଳୟ ଆସିବାର ଆଦୌ ନାଁ ଧରୁନାହାଁନ୍ତି । ଫଳରେ ସ୍ଥାନୀୟବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଅନ୍ୟପଟେ ଦୀର୍ଘ 17 ବର୍ଷ ଧରି ଡାକ୍ତରଖାନା ଅବହେଳିତ ଅବସ୍ଥାରେ ପଡିଥିବା ସତ୍ତ୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଖବର ନାହିଁ । ସେପଟେ ନିୟମିତ ରୋଗୀ ଆସୁଥିବା କହିଛନ୍ତି କର୍ମଚାରୀ । ଡାକ୍ତରଖାନା ନାମରେ ଆସୁଥିବା ବର୍ଷ ବର୍ଷ ଧରି ଟଙ୍କା ହରିଲୁଟ ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅବଗତ କରିଛନ୍ତି । ହେଲେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ତେଣୁ ଏଥିପ୍ରତି ଧ୍ୟାନ ଦେବା ସହ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ