ଭଦ୍ରକ: ସ୍କୁଲ କହିଲେ ଖଣ୍ଡିଏ ପରିତ୍ୟକ୍ତ ଆଜବେଷ୍ଟ ଘର । ପରିବେଶ ଏମିତି ଯେ, କେତେବେଳେ ଶ୍ରେଣୀଗୃହରେ ସାପ ପଶୁଛି ତ ଆଉ କେତେବେଳେ ବେଙ୍ଗ ପଶୁଛି । ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଚାଲିଛି ଶିକ୍ଷାଦାନ । ତେବେ ସ୍କୁଲର ନୂତନ ଗୃହ ନିର୍ମାଣ ହୋଇଛି ସତ, ହେଲେ ବିଭାଗୀୟ ପଦାଧିକାରୀ ଏବଂ ବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ସଭାପତିଙ୍କ ମଧ୍ୟରେ ବିବାଦ ଯୋଗୁଁ ନୂତନ ଶ୍ରେଣୀଗୃହରେ ପାଠପଢାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ତେଣୁ ସ୍କୁଲରେ ନିର୍ମିତ ନୂତନ ଗୃହ ହସ୍ତାନ୍ତର କରିବା ଦାବିରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୁନି କୁନି ପିଲା । ଭଦ୍ରକ ଜିଲ୍ଲା ତିହିଡି ସଦର ବଜାର ସ୍ଥିତ ମିର୍ଜାପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ବିଇଓ ଅଫିସ୍ ଆଗରେ ଏପରି ଧାରଣା ଦେଇଛନ୍ତି ।
1974 ମସିହାରେ ମିର୍ଜାପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ନିର୍ମିତ ହୋଇଥିଲା । ବିଦ୍ୟାଳୟର ଗୋଟିଏ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ପାଠ ପଢନ୍ତି । ପରିତ୍ୟକ୍ତ ଗୃହ ସହିତ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ସେଇଠି ପାଠପଢା ସହ ମଧ୍ୟାହ୍ନ ଭୋଜନ ହୋଇଥାଏ । ଏପରି ବିପର୍ଯ୍ୟସ୍ତ ସ୍କୁଲ କୋଠା ଦେଖି 2018 ମସିହାରେ ସରକାରଙ୍କ ଦ୍ଵାରା ବ୍ୟୟବରାଦ କରାଯାଇ ସେଠାରେ ନୂତନ ଗୃହ ନିର୍ମାଣ କରାଯାଇଥିଲା । ଏହି ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ବିଭାଗୀୟ ପଦାଧିକାରୀ ଏବଂ ଉକ୍ତ ବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ସଭାପତି ମଧ୍ୟରେ ବାଦବିବାଦ ଯୋଗୁଁ ନୂତନ ସ୍କୁଲ ଗୃହ ପିଲାମାନଙ୍କ ପାଠପଢା ପାଇଁ ହସ୍ତାନ୍ତର କରାଯାଇ ପାରୁନଥିବା ଅଭିଯୋଗ ହୋଇଛି ।
ଏହାମଧ୍ୟ ପଢନ୍ତୁ: ଲୋକଙ୍କ କିସ୍ତି ଟଙ୍କା ନେଇ ମାରିଥିଲା ଛୁ, ଭୁବନେଶ୍ୱରରୁ କଲେକ୍ସନ ବୟକୁ ଉଠାଇଲା ପୋଲିସ
ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁ ନାହିଁ । ଏହାର ପ୍ରତିବାଦରେ କୁନି କୁନି ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ଅଭିଭାବକ ଓ ପରିଚାଳନା କମିଟି ସଭାପତି ତିହିଡ଼ି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଦିନେ ଦୁଇ ଦିନ ମଧ୍ୟରେ ଉକ୍ତ ନବ ନିର୍ମିତ ସ୍କୁଲ ଗୃହ ହସ୍ତାନ୍ତର ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସ୍ଥିତି ଶାନ୍ତ ପଡିଥିବା ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: ଡିନଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀ ଭରୁଛନ୍ତି ଫାଇନ, ଅଭିଯୋଗ ଆଣିଲା ଆଦିବାସୀ ଦଳିତ ସେନା
ଇଟିଭି ଭାରତ, ଭଦ୍ରକ