ଭଦ୍ରକ: ଜିଲ୍ଲାରେ ପହଞ୍ଚିଲେ ଦ୍ୱିତୀୟ ଏନଡିଆରଏଫ୍ ଟିମ । ଏହି ଟିମ୍ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପରେ ପ୍ରଥମେ ଜରୁରୀକାଳୀନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପରେ ଏହି 21 ଜଣିଆ ଟିମକୁ ତୁରନ୍ତ ଚାନ୍ଦବାଲି ଅଞ୍ଚଳକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ମିଳିଥିଲା ।
ତେବେ ଏହି ଏନଡିଆରଏଫ୍ ଟିମ ଭଦ୍ରକରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳର ସମସ୍ତ କଥା ବିଧିବଦ୍ଧ ଭାବେ ଆଲୋଚନା କରିଥିଲେ । ଏହି ଟିମ ପାଖରେ କୋଭିଡ-19 ର ପିପିଇ କିଟ୍ ସହ ବାତ୍ୟା ମୁକାବିଲା କରିବା ପାଇଁ ସମସ୍ତ ସରଞ୍ଜାମ, ଯନ୍ତ୍ରପାତି ଥିବା କହିଥିଲେ ଟିମ କମାଣ୍ଡର । ତେବେ ବାତ୍ୟା ମୁକାବିଲା ପାଇଁ ତାଙ୍କ ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଟିମ କମାଣ୍ଡର ।
ପୂର୍ବରୁ ଅନ୍ୟ ଏକ ଏନଡିଆରଏଫ ଟିମକୁ ଧାମରା ଅଞ୍ଚଳରେ ନିୟୋଜିତ କରାଯାଇଥିବା ଜଣାପଡିଛି । ଆଉ ଏକ ଓଡ୍ରାଫ ଟିମ ରବିବାର ଭଦ୍ରକ ଆସୁଥିବା ନେଇ ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ