ଭଦ୍ରକ: ମେଧାବୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସାଫଲ୍ୟ ପର୍ବ ଅନୁଷ୍ଠିତ । ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ତରଫରୁ ଏହି ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଦେଇ ବିଦ୍ୟାଳୟ ସରକାରୀ ହେଉ କିମ୍ବା ବେସରକାରୀ ସେଥିରେ କୌଣସି ତାରତମ୍ୟ ନାହିଁ, ବରଂ ଗଭୀର ଅଧ୍ୟବ୍ୟସାୟ କଲେ ଜଣେ ନିଶ୍ଚିତ ସଫଳତା ପାଇପାରିବ ବୋଲି ମତ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଓ ଭଦ୍ରକ ବିଧାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ପରୀକ୍ଷାର୍ଥୀ ଏବଂ ମ୍ୟାଟ୍ରିକରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ 248ତମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଥିବା ଶୁଭାଙ୍ଗି ଖୁଣ୍ଟିଆ ଏବଂ 68ତମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଥିବା କସ୍ତୁରୀ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜିଲ୍ଲାର କୃତୀ ଛାତ୍ର 575 ତମ ସ୍ଥାନ ହାସଲ କରିଥିବା ରାକେଶ କୁମାର ସାହୁଙ୍କ ଅନୁପସ୍ଥିତିରେ ତାଙ୍କ ପିତା ଭୀମସେନ ସାହୁ ଏହି ସମ୍ମାନ ଗ୍ରହଣ କରିଥିଲେ । ତେବେ ୟୁପିଏସ୍ସି ପରିଚାଳିତ ସିଭିଲ ସର୍ଭିସେସ୍ ପରୀକ୍ଷାରେ ଭଦ୍ରକ ଜିଲାରୁ କୃତିତ୍ୱ ହାସଲ କରିଥିବା 3 ଜଣଙ୍କୁ ଏବଂ ଭଦ୍ରକ ବିଧାନସଭା କ୍ଷେତ୍ରରେ 220 ଜଣ ମାଟ୍ରିକ ମେଧାବୀଙ୍କୁ ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ ଏକ ସ୍ଵତନ୍ତ୍ର ଉତ୍ସବ ‘ସାଫଲ୍ୟ ପର୍ବ’ ଆୟୋଜିତ ହୋଇଥିଲା ।
ଚଳିତ ବର୍ଷ ସିଭିଲ ସର୍ଭିସେସ୍ ପରୀକ୍ଷାରେ କସ୍ତୁରୀ ପଣ୍ଡା (67 ରାଙ୍କ), ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ(248 ରାଙ୍କ) ଏବଂ ରାକେଶ କୁମାର ସାହୁ (575 ରାଙ୍କ୍) ସଫଳତା ହାସଲ କରି ଭଦ୍ରକ ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି । ଏମାନଙ୍କ ସହ ଭଦ୍ରକ ବିଧାନସଭା କ୍ଷେତ୍ରର 17ଟି ଉଚ୍ଚ ବିଦ୍ୟାଳୟର 220 ଜଣ ମାଟ୍ରିକ ମେଧାବୀଙ୍କ ଭେଟ୍ଘାଟ୍ ତଥା ବାର୍ତ୍ତାଳାପ ଉଦ୍ଦେଶ୍ୟରେ ଆୟୋଜନ ହୋଇଥିଲା ଏହି ଉତ୍ସବ। ଏଥିସହ ବିଧାନସଭା କ୍ଷେତ୍ରର 17 ଜଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ଇଟିଭି ଭାରତ, ଭଦ୍ରକ