ଭଦ୍ରକ: ହିନ୍ଦୁ ଧର୍ମର ପୂଜାପର୍ବାଣୀ ମଧ୍ୟରୁ ଏକ ମହାନ ପର୍ବ ଶ୍ରୀରାମ ନବମୀ । ଏହି ପବିତ୍ର ପର୍ବ ପାଳନ କ୍ଷେତ୍ରରେ ଭଦ୍ରକ ଜିଲ୍ଲାର ଏକ ବିଶେଷତା ରହିଛି । ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ପର୍ବ ଆଜି ଗଣପର୍ବରେ ପରିଣତ ହୋଇଛି । ଜୟ ଶ୍ରୀରାମ ଧ୍ଵନି ସହ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଯାଏ ଭଦ୍ରକ ସହରର ପରିବେଶ । ଭଦ୍ରକର ଏହି ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଆସନ୍ତା ମାର୍ଚ୍ଚ 30 ତାରିଖରେ ପାଳିତ ହେବ । ଚଳିତ ବର୍ଷ ଆହୁରି ଅଧିକ ଚିତାକର୍ଷକ ଭାବରେ ଅନୁଷ୍ଠିତ ହେବ ବୋଲି ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।
ଶୁକ୍ରବାର ଶ୍ରୀରାମ ନବମୀ ମହାଯଜ୍ଞ ସମିତି ପକ୍ଷରୁ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମର ବିଷଦ ବିବରଣୀ ଘୋଷଣା କରାଯାଇଛି । ଚଳିତ ମାର୍ଚ୍ଚ ମାସ 12 ତାରିଖରେ ମାତୃଭୂମି ପାଇଁ ଗଣଦୌଡ଼, 22 ତାରିଖରେ ରାଷ୍ଟ୍ରୀୟ ନବବର୍ଷ ପାଳନ ସହ ଗୋ ପୂଜନ ଓ ସାଧୁ ସନ୍ଥ ପୂଜନ, 26 ତାରିଖରେ ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା, 28 ମାର୍ଚ୍ଚରେ ମହିଳା କଳସ ଶୋଭାଯାତ୍ରା, ଆଜ୍ଞାମାଳ ଯାତ୍ରା ସହିତ ଶ୍ରୀରାମ ନବମୀ ମହାଯଜ୍ଞ ଆରମ୍ଭ ହେବ । ମାର୍ଚ୍ଚ 29 ତାରିଖରେ 108 ହନୁମାନ ଚାଳିଶା ପାଠ କରାଯିବ। ମୁଖ୍ୟତଃ ମାର୍ଚ୍ଚ 24 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ 7 ଦିନ ବ୍ୟାପୀ ଗାନ୍ଧି ପଡ଼ିଆରେ ମୀନାବଜାର ଏବଂ ସନ୍ଧ୍ୟାରେ ବିଭିନ୍ନ ଆଧ୍ୟାତ୍ମିକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ।
ପ୍ରକାଶଥାଉକି, 1991 ମସିହାରୁ ଆରମ୍ଭ ହୋଇଥିବା ଏହି ପବିତ୍ର ଭୂମିରେ ଭଦ୍ରକବାସୀ ପାଳନ କରି ଆସୁଛନ୍ତି ଶ୍ରୀରାମ ନବମୀ ମହାଯଜ୍ଞର ମହାନ ପରମ୍ପରା । ଯାହା କ୍ରମଶଃ ମହୋତ୍ସବରେ ପରିଣତ ହୋଇଛି ପବିତ୍ର ଶ୍ରୀରାମ ନବମୀ। ପୂର୍ବରୁ ଏହି ପୂଜା ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ପ୍ରଥମେ ଗୋଟିଏ ଦିନ ପାଳନ କରା ଯାଉଥିଲା ବେଳେ ଏବେ 7 ଦିନ ବ୍ୟାପି ଗଣପର୍ବରେ ପରିଣତ ହୋଇଛି । ଏହି ପର୍ବର ବିଶେଷ ଆକର୍ଷଣ କଳସ ଶୋଭାଯାତ୍ରା ଏବଂ ନଗର ସଂକୀର୍ତ୍ତନ ଯାତ୍ରା ।
ହଜାର ହଜାର ମହିଳା ଶ୍ରଦ୍ଧାଳୁମାନେ କଳସ ଧରି ଗାନ୍ଧିପଡିଆରୁ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରି ସାଳନ୍ଦୀ ଘାଟରୁ ଜଳ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥାନ୍ତି । ସେହିପରି ରାମନବମୀ ଦିନ ନଗର ସଂକିର୍ତ୍ତନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରାମନବମୀ ସମିତି ପକ୍ଷରୁ ଏହି କାର୍ଯ୍ୟର ସୁପରିଚାଳନା ପାଇଁ ବ୍ୟାପକ ପ୍ରସ୍ତୁତି କରା ଯାଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପ୍ରାନ୍ତରୁ 100ରୁ ଅଧିକ ସୁସଜ୍ଜିତ ମେଢ ଯୋଗ ଦେଇଥାନ୍ତି । ତେବେ ଚଳିତ ବର୍ଷ ଆହୁରି ଅଧିକ ସୁସଜ୍ଜିତ ମେଢ ଯୋଗ ଦେବା ପାଇଁ ଆବେଦନ କରିଥିବା କହିଛନ୍ତି ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ।
ଇଟିଭି ଭାରତ, ଭଦ୍ରକ