ଭଦ୍ରକ: ଆଜି ସନ୍ଧ୍ୟାଠାରୁ ବର୍ଷା ଓ ପବନର ଆଶଙ୍କା ନେଇ ତତ୍ପର ହୋଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର 8 ଟି ପଞ୍ଚାୟତରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଏମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଭିନ୍ନ ସ୍କୁଲରେ ରଖାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଅଦ୍ୟାବଧି 2000ରୁ ଉର୍ଦ୍ଧ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଏଥିସହ 132 ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ଭାବେ 102 ଓ ଆମ୍ଭଲାନ୍ସ ଯୋଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବା ନେଇ ଜଣାପଡିଛି । ଜିଲ୍ଲାରେ 3 ଟି NDRF, 2ଟି ODRAF, 16 ଟି ଅଗ୍ନିଶମ ବାହିନୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଜିଲ୍ଲାର ସମସ୍ତ ସ୍ଥାନରେ ହୋର୍ଡିଙ୍ଗ ଖୋଲାଯାଇଛି ।
ସ୍ବତନ୍ତ୍ର ଭାବେ ଧାମରା ଅଞ୍ଚଳ ପାଇଁ ଜଣେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ପାଇଁ ଜଣେ ଲେଖାଏଁ ଅଫିସର ନିୟୋଜିତ ହୋଇଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଚାଷ ଜମି ଗୁଡିକର ଅମଳ ଏବେ ମଧ୍ୟ ସୁରକ୍ଷିତ ଥିବା ଜିଲ୍ଲାପାଳ କହିଛନ୍ତି । ମୋଟା ମୋଟି ଜିଲ୍ଲା ପ୍ରଶାସନ 1ଲକ୍ଷ 60ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ