ଭଦ୍ରକ: ସ୍ବାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ। ଭଦ୍ରକ ଜିଲ୍ଲାପାଳ ଡ ଜ୍ଞାନ ଦାସ ସଂଗ୍ରାମୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିବା ଜଣାପଡିଛି । ଭାରତବର୍ଷର ଜ୍ଵାଳାମୁଖୀ ସ୍ବାଧୀନତା ସଂଗ୍ରାମରେ ମହାତ୍ମାଗାନ୍ଧୀଙ୍କ ଡାକରାରେ ହଜାର ହଜାର ଯୁବକ ସଂଗ୍ରାମରେ ଝାସ ଦେଇଥିଲେ । 1942 ମସିହାର ଭାରତଛାଡ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶର କୋଣ ଅନୁକୋଣରୁ ଯୁବକମାନେ ଇଂରେଜ ବିରୋଧରେ ଲଢେଇ କରିବା ଏବଂ ଭାରତକୁ ସ୍ୱାଧୀନତା ଦେବା ପାଇଁ ଆଗେଇ ଆସିଥିଲେ । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବାସୁଦେବପୁର ବ୍ଲକର ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟ ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ତୁଳମତୁଳା ଗାଁରେ 1926 ମସିହାରେ ସାରଦା ପ୍ରସାଦ ରାୟଙ୍କ ଜନ୍ମ । ସମଗ୍ର ଦେଶ ସେତେବେଳେ ଇଂରେଜମାନଙ୍କ ଶାସନରେ ଥିଲା । ସାରଦାଙ୍କୁ ଯେତେବେଳେ 15 ବର୍ଷ ବୟସ ହୋଇଥିଲା । ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନର ଡାକରାରେ ଦେଶର ଯୁବକମାନେ ଝାସ ଦେଇଥିଲେ । ମାତ୍ର ପନ୍ଦର ବର୍ଷ ବୟସରେ ସେ ବାପା ଦ୍ବାରିକାନାଥ ରାୟ ଓ ମାଆ ପବିତ୍ରା ରାୟଙ୍କୁ ନିକଟରୁ ଲୁଚି ପଳାଇ ଯାଇ ବ୍ରିଟିଶ ଶାସନ ବିରୋଧ ଲଢେଇ କରିବା ପାଇଁ ଅଣ୍ଟା ଭିଡିଥିଲେ । ଏହାପରେ ଅଷ୍ଟମ ଶ୍ରେଣୀର ପାଠ ଡୋରି ବନ୍ଧା ହୋଇଥିଲା।
1942 ମସିହା ସେପ୍ଟେମ୍ବର 28 ତାରିଖ ଇରମ ମେଳନ ପଡିଆରେ ବ୍ରିଟିଶ ସରକାରଙ୍କ ବିରୋଧରେ ସଭାର ଯୋଗ ଦେଇଥିଲେ। ଯେଉଁ ସଭାର ଆୟୋଜକ ଥିଲେ ସାରଦା । ବିଟ୍ରିଶ ଗୁଳିରେ 29 ଜଣ ଶହୀଦ ହୋଇଥିବା ବେଳେ ଅଳ୍ପକେ ଜୀବନ ରକ୍ଷାକରି ଖସି ଯାଇଥିଲେ ସାରଦା । ସେତେବେଳେ ଦେଶକୁ ସ୍ୱାଧୀନ କରିବା ପାଇଁ ଏତେ ଜୋଶ ଥିଲା ଯେ କାହା କଥା ଶୁଣୁ ନଥିଲେ । ଲୁଚିଛପି ଗୋରା ଶାସନ ବିରୋଧରେ ପଦ୍ମପୁର ଠାରେ ସଭା କରୁଥିବା ବେଳେ ଇଂରେଜ ପୋଲିସ ହାତରେ ଧରା ପଡି ବାଲେଶ୍ବର ଜେଲ ଯାଇଥିଲେ । ପରେ ତାଙ୍କୁ ବିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୀର୍ଘ ଦେଢ ବର୍ଷ ଜେଲ ଭୋଗିବାକୁ ପଡିଥିଲା । ଦେଶ ସ୍ବାଧୀନ ହେବା ପରେ ସଂଗ୍ରାମୀ ଜୀବନରୁ ଶିକ୍ଷକତା ଆଡକୁ ଆକର୍ଷିତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ଯରେ ବହୁ ସ୍କୁଲ ନିଜ ହାତରେ ଗଢିତୋଳିଛନ୍ତି । ଦୀର୍ଘ ଦିନ ସଂଗ୍ରାମମୟ ଜୀବନର ଅପରାହ୍ନରେ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି । ଏନେଇ ପରିବାର ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ