ଭଦ୍ରକ: ରୋଗୀଙ୍କୁ ଫାର୍ମାସିଷ୍ଟଙ୍କ ଦୁର୍ବ୍ୟବହାର ଅଭିଯୋଗ । ଚିକିତ୍ସା ପାଇଁ ବଡ ମେଡିକାଲକୁ ସ୍ଥାନାନ୍ତର ବେଳେ ମହିଳା ରୋଗୀଙ୍କୁ ଫାର୍ମାସିଷ୍ଟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଚିକିତ୍ସା ଆଳରେ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି । ତେବେ କାର୍ଯ୍ୟାନୁଷ୍ଠାନ ନହେବାରୁ ଏସପିଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି ଅଭିଯୋଗକାରୀ । ଅଭିଯୋଗ ଅନୁଯାୟୀ ଭଦ୍ରକ ଟାଉନ ଥାନା ଅଧିନ ବଙ୍କସାହି ଅଞ୍ଚଳର ଜନୈକ ଯୁବକ ତାଙ୍କର ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ପରେ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲକୁ ନେବା ସମୟରେ ରୋଗୀଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତେବେ ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ ଏହି ସମୟରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ । ମହିଳା ରୋଗୀଙ୍କ ସ୍ୱାମୀ ଏହା ବାରଣ କରିବାରୁ ସେ ଚିକିତ୍ସା କରୁଥିବା କହିବା ସହ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ରୋଗୀଙ୍କ ସ୍ୱାମୀ କଟକ ମେଡିକାଲସ୍ଥିତ ପୋଲିସ ଫାଣ୍ଡିରେ ଅଭିଯୋଗ କରିବାରୁ ଫାର୍ମାସିଷ୍ଟ ଜଣକ ସେଠାରୁ ଫେରାର ହୋଇଥିଲେ ।
ତେବେ ପରେ ରୋଗୀ ସୁସ୍ଥ ହେବାପରେ ଆମ୍ବୁଲାନ୍ସର ସମ୍ପୂର୍ଣ ତଥ୍ୟ ସହ ଟାଉନ ଥାନାରେ ଉଭୟ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିଲେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।