ଭଦ୍ରକ: ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ । ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା । ଅପରେସନ ଟେବୁଲରେ ରୋଗୀ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ରୋଗୀ ହେଉଛନ୍ତି ସଞ୍ଜୁଲତା ପାତ୍ର ।
ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ର ଟ୍ୟୁମର ଅପରେସନ ପାଇଁ ଗତ ବୁଧବାର ଦିନ ସେ ସାଳନ୍ଦୀ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ । ଗୁରୁବାର ରାତିରେ ତାଙ୍କର ଟ୍ୟୁମର ଅପରେସନ ହୋଇଥିଲା । କିନ୍ତୁ ଅପରେସନ ସମୟରେ ସଞ୍ଜୁଲତା ପାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ଏନେଇ ଆଜି ସକାଳୁ ହସ୍ପିଟାଲରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛି ।
ଏହା ମଧ୍ୟ ପଢନ୍ତୁ-ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ
ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଏହାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅସ୍ବୀକାର କରିଥିବା ଜଣାପଡିଛି । ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ଜାରି ରହିଥିବା ବେଳେ ଭଦ୍ରକ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ-ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା
ଏନେଇ ମୃତ ମହିଳାଙ୍କ ପୁଅ କହିଛନ୍ତି,'' ମୋ ମାଆର ଟ୍ୟୁମର ହୋଇଥିଲା । ଗୁରୁବାର ରାତିରେ ତାର ଅପରେସନ ହୋଇଥିଲା । ମୁଁ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାର ମୃତ୍ୟୁ ହୋଇଥିଲା । କିନ୍ତୁ ମିଛଟାରେ ଓ୍ବାର୍ଡକୁ ନେଇ ଚିକିତ୍ସା କରାଯାଉଥିଲା । ବିଳମ୍ବିତ ରାତିରେ ମୋ ମାଆର ମୃତ୍ୟୁ ହୋଇଥିବା ମୋତେ କହିଥିଲେ । ଅପରେସନ ଭୁଲରେ ହେବା ଦ୍ବାର ମୋ ମାଆର ମୃତ୍ୟୁ ହୋଇଛି । ମୋତେ ନ୍ୟାୟ ଦିଅନ୍ତୁ । ଅପରେସନ କରିଥିବା ଡାକ୍ତରଙ୍କୁ ମୁଁ ସାକ୍ଷାତ କରିବାକୁ ଚାହୁଁଛି । ''
ଏନେଇ ମୃତ ମହିଳାଙ୍କ ଝିଅ କହିଛନ୍ତି, ''ମୋ ମାଆର ମୃତ୍ୟୁ ହୋଇଛି । ଆମେ ପ୍ରାଇଭେଟ ହସ୍ପିଟାଲରେ ଦେଖାଇ ମାଆକୁ ମେଡିସିନ ଦେଉଥିଲୁ । ପରେ ସାଳନ୍ଦୀ ହସ୍ପିଟାଲକୁ ଅପରେସନ ପାଇଁ ଆଣିଥିଲୁ । ଦୁଇରୁ ତିନି ଦିନ ତାକୁ ଉପାସ ରଖିବା ପରେ ଅପରେସନ କରାଯାଇଥିଲା । ଅପରେସନ ସମୟରେ କିଛି ଭୁଲ ଇଞ୍ଜେକ୍ସନ ଦେଇଛନ୍ତି ନଚେତ ଧ୍ୟାନ ଦେଇ ନାହାନ୍ତି ଯେଉଁଥି ପାଇଁ ମୋ ମାଆର ମୃତ୍ୟୁ ହୋଇଛି । ''
ଇଟିଭି ଭାରତ, ଭଦ୍ରକ