ଭଦ୍ରକ : 16 ନମ୍ବର ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା କର୍ତ୍ତୃପକ୍ଷଙ୍କୁ ବିରୋଧୀ ଦଳ ଉପନେତାଙ୍କ ବିଷ୍ଣୁ ସେଠୀଙ୍କ ଚେତାବନୀ । ଠିକ ଢଙ୍ଗରେ କାର୍ଯ୍ୟ କରନ୍ତୁ, ନହେଲେ ସମସ୍ତ କାର୍ଯ୍ୟାଳୟରେ ତାଲାପକାଇ କାମ ବନ୍ଦ କରିବା ସହ ରାଜପଥ ଅବରୋଧ ଓ ଏହି ପ୍ରସଙ୍ଗକୁ ମଧ୍ୟ ବିଧାନସଭାରେ ଉଠାଇବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ ରାଜପଥ ସଂପ୍ରସାରଣ ବେଳେ ହେଉଥିବା ଅବ୍ୟବସ୍ଥାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ଚଣ୍ଡିଖୋଲରୁ ଭଦ୍ରକ ପର୍ଯ୍ୟନ୍ତ ରାଜପଥ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । କିନ୍ତୁ କାର୍ଯ୍ୟ କରୁଥିବା ଡିବିଏଲ କମ୍ପାନୀ ରାସ୍ତାର ବିଭିନ୍ନ ସ୍ଥାନରେ ଖୋଳାଖୋଳି କରି କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ପୁଣି ଅନ୍ୟ ସ୍ଥାନରେ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳୁଛି ।
ଅନେକ ସ୍ଥାନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ କରୁଛି । କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ ଆମ୍ବୁଲାନ୍ସ ଠାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଘଟଣା ମଧ୍ୟ ହେଉଛି ।
କାମ କରୁଥିବା ଡିବିଏଲ କମ୍ପାନୀର ଏହି ମନୋମୁଖୀ କାମ ବନ୍ଦ ନହେଲେ ବିଜେପି ଧାମନଗର ଛକ ଠାରୁ ନଳାଙ୍ଗ ପର୍ଯ୍ୟନ୍ତ ଥିବା ସମସ୍ତ ଅଫିସରେ ତାଲା ପକାଇବ । ସର୍ବସାଧାରଣଙ୍କ ଏହି ଅସୁବିଧା ପାଇଁ ରାଜ୍ୟପାଳ , କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ସହ ବିଧାନସଭାରେ ଏନେଇ ପ୍ରଶ୍ନ କରିବେ ବୋଲି ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ