ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ସାନ ଭାଇର ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କଲା ବଡ ଭାଇ । ଫଳରେ ଗୋଷ୍ଠୀ ସଂଘର୍ଷ ଘଟିବାରୁ 4ଜଣ ଆହତ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନାଧିନ ପଠାନ ମହଲା ଗାଁରେ ଏଭଳି ଘଟଣା ଘଟିଛି । ଗ୍ରାମର ଶିକ୍ଷକ ସେକ୍ ମହମ୍ମଦ ୟୁନୁସଙ୍କ ସମେତ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ତାଙ୍କ ବଡ ଭାଇ ସେକ ଆରିଫଙ୍କ ଗୋଷ୍ଠୀ ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଏନେଇ ଥାନାରେ ଅଭିଯୋଗ ପରେ 4ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।
ବଡ ଭାଇ ସେକ ଆରିଫ ଉଦ୍ଦେଶ୍ୟ ମୂଳକ ଭାବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ସେକ ମହମ୍ମଦ ୟୁନୁସଙ୍କ ଘରେ ପଶି ଟଙ୍କା ସୁନା ଲୁଟ କରିବା ସହ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଏନେଇ ସେକ ମହମ୍ମଦ ୟୁନୁସ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିବା ପରେ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ବଡ ଭାଇ ସେକ ଆରିଫ । ଫଳରେ ଗ୍ରାମର କେତେକ ଲୋକଙ୍କୁ ନେଇ ହାତରେ ମାରଣାସ୍ତ୍ର ଧରି ସାନ ଭାଇର ପରିବାର ଲୋକଙ୍କୁ ଗାଳି ଗୁଲଜ କରିବା ସହିତ ଅତର୍କିତ ଆକ୍ରମଣ କରିଥିଲେ ସେକ ଆରିଫଙ୍କ ଗୋଷ୍ଠୀ। ମହମ୍ମଦ ୟୁନୁସଙ୍କ ସ୍ତ୍ରୀକୁ ଘୋଷାଡି ଘୋଷାଡି ବାହାରକୁ ଆଣିବା ସହ ତାଙ୍କ ପୁଅଙ୍କୁ ମଧ୍ୟ ନିସ୍ତୁକ ମାଡ ମାରିଥିଲେ । ଆତ୍ମରକ୍ଷା କରିବାକୁ ଯାଇ ମହମ୍ମଦ ୟୁନୁସଙ୍କ ଗୋଷ୍ଠୀ ମଧ୍ୟ ଅପରପକ୍ଷଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦୁଇ ଗୋଷ୍ଠୀର 4 ଜଣ ସଦସ୍ୟ ଆହତ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-କଦଳୀ ଗଛ କଟାକୁ ନେଇ ତୁମୁଳ କାଣ୍ଡ, ପଡୋଶୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଗୁରୁତର
ଏନେଇ ସେକ ମହମ୍ମଦ ୟୁନୁସଙ୍କ ଏତଲାକୁ ଭିତ୍ତିକରି ଥାନାରେ 4 ଜଣଙ୍କ ବିରୋଧରେ ସଂଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି । ତେବେ ପୁନଶ୍ଚ ଆକ୍ରମଣ କରିବା ସହିତ ପେଟ୍ରୋଲ ଢାଳି ଘେ ନିଆଁ ଲଗାଇ ଦେବା ପାଇଁ ବଡ ଭାଇ ସାନ ଭାଇଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏବେ ନ୍ୟାୟ ପ୍ରଦାନ ଦାବିରେ ସେକ ମହମ୍ମଦ ୟୁନୁସଙ୍କ ପରିବାର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଇଟିଭି ଭାରତ, ଭଦ୍ରକ