ଭଦ୍ରକ: ମୃଦୁ ପାନୀୟରେ ମଦ ମିଶାଇ ବିକଳାଙ୍ଗ ଭାଇକୁ ପିଇବାକୁ ଦେଇ ନାବାଳିକା ଭଉଣୀକୁ ଅପହରଣ କରିଥିବା ଅଭିଯୋଗ । ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଏଭଳି ଅଭିଯୋଗ ହୋଇଛି । ଅଭିଯୋଗକୁ ପାଖାପାଖି ମାସେ ପୂରିବାକୁ ବସିଲାଣି ହେଲେ ପୋଲିସ ଏପର୍ଯ୍ୟନ୍ତ ନାବାଳିକା ଭଉଣୀକୁ ଉଦ୍ଧାର କରି ପାରିନାହିଁ । ଯାହାକୁ ନେଇ ନାବାଳିକାର ମାଆ ନମିତା ମହାଳିକ ବାଂଶଡା ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ଗତ ଜୁନ୍ ମାସ 13 ତାରିଖ ରାତିରେ ଛେଡ଼ାକ ଗାଁର ବିବେକାନନ୍ଦ ରାଉତ ନାମକ ଜଣେ ଯୁବକ ଆସି ନାବାଳିକାର ଭିନ୍ନକ୍ଷମ ଭାଇକୁ ମୃଦୁ ପାନୀୟରେ ମଦ ମିଶାଇ ପିଇବାକୁ ଦେଇଥିଲା । ଫଳରେ ପରବର୍ତ୍ତୀ ସମୟରେ ନିଶାଗ୍ରସ୍ତ ହୋଇ ନାବାଳିକାର ଭାଇ ଅଚେତ ହୋଇ ଶୋଇଯିବା ପରେ ତାର ନାବାଳିକାକୁ ଭଉଣୀକୁ ଅପହରଣ କରି ନେଇଥିଲା ବିବେକାନନ୍ଦ । ତେବେ ଏହି ସମୟରେ ଘରେ ନାବାଳିକାର ମାଆ ଅନୁପସ୍ଥିତ ଥିଲେ । ଏନେଇ ଖବର ପାଇ ନାବାଳିକାର ମାଆ ଘରକୁ ଫେରି ଭିନ୍ନକ୍ଷମ ପୁଅଠାରୁ ସବୁ କଥା ଶୁଣିବା ପରେ ଗତ ଜୁନ୍ ମାସ 14 ତାରିଖରେ ବାଂଶଡା ଥାନାରେ ଝିଅକୁ ଜୋର ଜବରଦସ୍ତ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଚର୍ଚ୍ଚିତ ଗୌରୀ ମିଶ୍ର ମୃତ୍ୟୁ ଘଟଣା, ଅପହୃତ ଯୁବକଙ୍କ ମୃତଦେହ ଉଦ୍ଧାର
ହେଲେ ଗତ 14 ତାରିଖରୁ ଆଜି ଯାଏଁ ମାସେରୁ ଊର୍ଦ୍ଧ୍ବ ସମୟ ହେବାକୁ ବସିଲାଣି କିନ୍ତୁ ବାଂଶଡା ଥାନା ପୋଲିସ ଏପର୍ଯ୍ୟନ୍ତ ନାବାଳିକା ଝିଅକୁ ଉଦ୍ଧାର କରିପାରି ନଥିବା ବେଳେ ଅପହରଣକାରୀକୁ ମଧ୍ୟ ଗିରଫ କରି ନଥିବା ନାବାଳିକାର ଭିନ୍ନକ୍ଷମ ଭାଇ ଏବଂ ମାଆ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଝିଅର କୌଣସି ପତ୍ତା ମିଳୁ ନ ଥିବାରୁ ପରିବାର ଲୋକଙ୍କ ଆଖିରୁ ଲୁହ ସୁଖୁ ନାହିଁ । ତେବେ ଏହି ଘଟଣାରେ ଏକ ଅପହରଣ ମାମଲା ରୁଜୁ ହୋଇଛି। ଦୋଷୀକୁ ଧରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଚାନ୍ଦବାଲି ଏସ୍ଡିପିଓ ଦେବୀ ଶଙ୍କର ପ୍ରତାପ ସଫେଇ ଦେଇଛନ୍ତି । ଅନ୍ୟ ପକ୍ଷରେ ଏନେଇ ପୋଲିସ ପକ୍ଷରୁ ଯଦି ତୁରନ୍ତ କୌଣସି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପ୍ରଦାନ କରିବା ପାଇଁ ପରିବାର ଲୋକେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଭଦ୍ରକ