ଭଦ୍ରକ: ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀକୁଳ । କଷ୍ଟ ଉପାର୍ଜିତ ଧାନ, ସୋସାଇଟିକୁ ବିକ୍ରି କରିବା ପାଇଁ ଯାଉଥିବା ଚାଷୀ ମାନେ ମିଲରଙ୍କ ଦୌରାତ୍ମ୍ୟର ଶିକାର ହେଉଥିବା ଅଭିଯୋଗ ହେଉଛି। ଭଦ୍ରକ ଜିଲ୍ଲାରେ ଥିବା ଅଧିକାଂଶ ଧାନ ମଣ୍ଡିରେ ଏହିପରି ଅବସ୍ଥା ବୋଲି ଜଣାପଡିଛି। ଗୋଟିଏ ପଟେ ସରକାରୀ ନିୟମ ଅନ୍ୟପଟେ ମିଲରଙ୍କ ମାନମାନି ଭିତରେ ଯେମିତି ଫସି ଯାଇଛନ୍ତି ଚାଷି । ଏନେଇ ବିଭାଗୀୟ ଅଧିକାରୀ କି ମିଲର, କେହି କିଛି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।
ଚାଷୀ ଓ ଚାଷକୁ ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ଭିନ୍ନ ନୀତି ପ୍ରଣୟନ କରିଛନ୍ତି। ସେହିପରି ଚାଷୀକୁଳ ମଧ୍ୟ ବିଭିନ୍ନ ସମାସ୍ୟା ସହ ସଂଗ୍ରାମ କରି ଅମଳ କରୁଛି ଧାନ । ଏବେ ଧାନ ବିକ୍ରି ସମୟ। ଚଳିତ ବର୍ଷ ବୁଲବୁଲ ଭଳି ଦୈବୀଦୁର୍ବିପାକର ସାମ୍ନା କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଅମଳ କରିବା ପରେ ସରକାରୀ ନିୟମାନୁଯାଇ ବିକ୍ରି ପାଇଁ ଏବେ ସୋସାଇଟରେ । ହେଲେ ସୋସାଇଟିରେ ମିଲରଙ୍କ ଦୌରାତ୍ମ୍ୟ ତାଙ୍କ ପାଇଁ କାଳ ହୋଇଛି ।
ବର୍ଷ ଯାକ ଝାଳ ନିଗାଡି ଚାଷ କରିଛି ଚାଷୀ । ପ୍ରଥମେ ବୁଲବୁଲ ବାତ୍ୟାର ପ୍ରଭାବରେ ଚାଷ କ୍ଷତିଗ୍ରସ୍ଥ ହୋଇଥିଲା । ପୁଣି ସେହି ଉଜୁଡା ଚାଷ ଜମିରୁ ଯାହାବି ଅମଳ ହୋଇଥାନ୍ତା ତାକୁ ମଧ୍ୟ ଅଦିନିଆ ବର୍ଷା ଯେମିତି ନଷ୍ଟ କରିବା ରେ ଲାଗିଛି ।
ଧାନ ଅମଳ ହେଇଛି ତାକୁ ନେଉଛି ସମବାୟ ସମିତି । କିନ୍ତୁ ନିୟମ ଅନୁଯାୟୀ ଟୋକନ ବ୍ୟବସ୍ଥା, ଅଧାରଲିଙ୍କ ଓ ମିଲରଙ୍କ କଟନୀ ଛଟନୀ ପାଇଁ ଚାଷୀ ଦଉଡି ଦଉଡି ନୟାନ୍ତ ହେଲେଣି । ଏପଟେ ଅମଳ ଧାନକୁ ନେଇ କେମିତି ବିକ୍ରି କରିବେ ବୋଲି ଚିନ୍ତାରେ ଚାଷୀ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ