ଭଦ୍ରକ: ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ପରେ ଆତ୍ମାହୁତି ଉଦ୍ୟମ କଲେ ପରିବାର ଲୋକ । ଯୁବକଙ୍କୁ ପୋଲିସର ଗିରଫ ପ୍ରତିବାଦରେ ଆଜି ପରିବାର ଲୋକ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ସୂଚନା ଅନୁଯାୟୀ, ଭଦ୍ରକ ଗବସାହି ଠାରେ ଗତ ଏପ୍ରିଲ ମାସ ୧୪ ତାରିଖରେ ସୁଦର୍ଶନ ଦାସଙ୍କ ଘର ପୋଡି ପାଉଁଶ ହୋଇଯାଇଥିଲା । ଏହା ତାଙ୍କ ପଡୋଶୀ ପରିବାର ଲୋକମାନେ ଜାଣିଶୁଣି ନିଆଁ ଲଗାଇଥିବା ନେଇ ଅଭିଯୋଗ କରିଥିଲେ । ଏପରିକି ଅପରପକ୍ଷଙ୍କ ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା ।
ଆଜି(ଶୁକ୍ରବାର) ଟାଉନ ପୋଲିସ ପକ୍ଷରୁ ଅଗ୍ନିବିପନ୍ନ ସୁଦର୍ଶନ ଦାସଙ୍କ ପରିବାରକୁ ଥାନାକୁ ଡାକି ତାଙ୍କ ପୁଅକୁ ଗିରଫ କରିବାରୁ ପ୍ରଥମେ ଟାଉନ ଥାନା ଆଗରେ ପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା । ପରେ ପରିବାର ଲୋକମାନେ ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ପରେ ପରିବାର ଲୋକେ ଗିରଫଦାରୀକୁ ବିରୋଧ କରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ତେବେ ଭଦ୍ରକ ପୋଲିସ ପରିବାରର ୪ ଜଣଙ୍କୁ ଅଟକ ରଖିଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ