ଭଦ୍ରକ: ମଦ ଦୋକାନ ଖୋଲିବା ନେଇ ମିଥ୍ୟା ପ୍ରଚାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲା ପୀରହାଟରେ ଥିବା ମଦ ଦୋକାନ 2017ରୁ ବନ୍ଦ ରହିଛି । ଏପରି ସ୍ଥିତିରେ ଏକ ସଂଗଠନ ଉକ୍ତ ମଦ ଦୋକାନ ପୁଣି ଖୋଲାଯିବା ନେଇ ପ୍ରଚାର ଚଳାଇଛି ଯାହାକୁ ବିଜେଡି ଦଳ ପକ୍ଷରୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଇଛି ।
ଏହି ସଂଗଠନ ଉକ୍ତ ମଦ ଦୋକାନ ଖୋଲାଯିବାକୁ ବିରୋଧ କରିବା ସହିତ ପଞ୍ଚାୟତର ଜନ ପ୍ରତିନିଧି ଓ ରାଜନେତା ମାନେ ମୋଟା ଅଙ୍କରେ ଟଙ୍କା ନେଇ ମଦ ଦୋକାନ ଖୋଲିବା ଲାଗି ଅନୁମତି ପ୍ରଦାନ କରିଥିବା ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର ଚାଲାଇଛି। ଯାହାକୁ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ। ତେବେ ପୀରହାଟରେ ମଦ ଦୋକାନ ପୁଣି ଖୋଲିବା ନେଇ ସରକାରୀ ସ୍ତରରେ କୌଣସି ସୂଚନା ନାହିଁ ବୋଲି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ତେବେ ପଞ୍ଚାୟତର ଜନ ପ୍ରତିନିଧି ଓ ରାଜନେତାମାନଙ୍କ ବାବଦରେ ଉକ୍ତ ସଂଗଠନ ପକ୍ଷରୁ ଯେଉଁ କୁତ୍ସିତ ବାକ୍ୟ ଓ ଶବ୍ଦ ପ୍ରୟୋଗ କରାଯାଇଛି ତାକୁ ଭର୍ଷନା କରିଛି ଜିଲ୍ଲା ବିଜେଡି । ସଂଗଠନ ଏପରି ମିଥ୍ୟା ପ୍ରଚାରରୁ ନିବୃତ୍ତ ରହିବା ସହିତ ପୁଣି ପ୍ରଚାର ମାଧ୍ୟମରେ ଭୁଲ ସ୍ବୀକାର କରିବା ଲାଗି କହିଛି ଦଳ । ସେଥିରେ ବ୍ୟତିକ୍ରମ ହେଲେ ଦଳ ପକ୍ଷରୁ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦିଆଯାଇଛି। ଘଟଣାକୁ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୌଲତପୁର ପଞ୍ଚାୟତର ବିଜେଡି ସଭାପତି ପ୍ରଭାତ କୁମାର ମିଶ୍ର, ବାମନବିନ୍ଧା ସରପଞ୍ଚ ଅମର କୁମାର ଦାସ, ବାମନବିନ୍ଧା ପଞ୍ଚାୟତ ସାଧାରଣ ଜନତା ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ