ଭଦ୍ରକ: ପେନସନ ବ୍ୟବସ୍ଥା ସହିତ ଅନ୍ୟ କ୍ଷେତ୍ରରେ ଅସମାନତାକୁ ନେଇ ପୂର୍ବତନ ସୈନିକ ସଙ୍ଘ ପକ୍ଷରୁ ପ୍ରତିବାଦ । ଏହି ଅସମାନତାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଜାନୁଆରୀ 10 ତାରିଖ ଦିନ ୱାନ ପେ ବ୍ୟବସ୍ଥା ଲାଗୁ କରାଯାଇଛି । ଏଥିସହ ସମାନ ପଦକୁ ସମାନ ବେତନ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଏହି ବ୍ୟବସ୍ଥାରେ ମଧ୍ୟ ପାତରଅନ୍ତର ତଥା ବିସଙ୍ଗତ ହୋଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସୈନିକ ସଙ୍ଘ ।
ଏଥିସହ ସେନାରେ କାର୍ଯ୍ୟ କରୁଥିବା ସମୟରେ ଶହୀଦ ହୋଇଯାଉଥିବା ସେନା କର୍ମୀଙ୍କ ଧର୍ମପତ୍ନୀଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବୀରନାରୀ ପେନସନ କେବଳ 12 ହଜାର ଟଙ୍କାରୁ 19 ହଜାର ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି । ଏପରି ସ୍ଥଳେ ଅଧିକାରୀ ମାନଙ୍କ ପତ୍ନୀଙ୍କୁ କାହିଁକି 57 ହଜାରରୁ 1 ଲକ୍ଷ 35 ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସେହିପରି ଆଜିର ମହଙ୍ଗା ଯୁଗରେ ଫ୍ୟାମିଲି ପେନସନ ରାଶିକୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି ।
ଅନ୍ୟ ପକ୍ଷରେ ସରକାରଙ୍କ ମିଲିଟାରୀ ସର୍ଭିସ ପେ କ୍ଷେତ୍ରରେ ସୈନିକ ଏବଂ ସେନାଧିକାରୀମାନେ ସୀମାନ୍ତରେ ଥିବା ବିଭିନ୍ନ ବିପଦ ଜନକ ସ୍ଥିତିରେ କାଳାତିପାତ କରୁଛନ୍ତି । ହେଲେ ସେମାନଙ୍କୁ ମିଲିଟାରୀ ସର୍ଭିସ ପେମେଣ୍ଟ(MSP) କ୍ଷେତ୍ରରେ ମଧ୍ୟ ପାତର ଅନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନ କାରୀ ପୂର୍ବତନ ସୈନିକ ସଙ୍ଘ । ଏହିପରି ସ୍ଥିତିରେ ସୈନିକ ଏବଂ ସେନା ଅଧିକାରୀ କାହିଁକି କମ ବେଶୀ ବେତନ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରତିବାଦକାରୀ । ତେବେ ଯେଉଁ ସୈନିକ ମାନେ କାର୍ଯ୍ୟ କ୍ଷେତ୍ରରେ ଅଙ୍ଗ ହରାଉଛନ୍ତି ସେମାନଙ୍କୁ ମଧ୍ୟ ସେନା ଅଧିକାରୀଙ୍କ ଠାରୁ ଡିଜାବିଲିଟି ପେନସନ କମ ପ୍ରଦାନ କରାଯାଉଛି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ତେଣୁ ଏହିପରି ପେନସନ ବ୍ୟବସ୍ଥା ସହିତ ଅନ୍ୟ କ୍ଷେତ୍ରରେ ଥିବା ଅସମାନତାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ନୂତନ ଡିଫେନ୍ସ କମିଟି ଗଠନ କରି ଏହି ସବୁ ପାତରଅନ୍ତର ତଥା ବିସଙ୍ଗତକୁ ଦୂର କରିବା ପାଇଁ ଗତକାଲି(ସୋମବାର) ପୂର୍ବତନ ସୈନିକ ସଙ୍ଘ ପକ୍ଷରୁ ପ୍ରତିବାଦ କରାଯାଇଛି । ଏଥିସହ ଏକ ଦାବି ପତ୍ର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଅବସରରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆସି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ଇଟିଭି ଭାରତ ,ଭଦ୍ରକ