ଭଦ୍ରକ: ‘ଇଟିଭି ଭାରତ’ର ମହାପ୍ରଭାବ । ଇଚ୍ଛାମୃତ୍ୟୁ ମାଗୁଥିବା ଶୀତଲଙ୍କୁ ମିଳିଲା ସହାୟତାର ହାତ । ଦୁର୍ଘଟଣା ପରେ ଦୀର୍ଘ 11 ମାସ କାଳ ଯନ୍ତ୍ରଣା ସହ ଜୁଝୁଛନ୍ତି ଶୀତଲ । ଏ ନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହେବା ପରେ 15 ବର୍ଷୀୟା ଶୀତଲଙ୍କୁ ସହାୟତାର ହାତ ବଢିଛି । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଶୀତଲଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।
ଶୀତଲଙ୍କୁ ନିଜ ଝିଅ ପରି ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେବା ପାଇଁ ‘ଇଟିଭି ଭାରତ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପ୍ରତିଶୃତି ଦେଇଛନ୍ତି ବିଧାୟକ । ଏଥିସହ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ କଡରେ ଥିବା ସମସ୍ତ ସ୍କୁଲ ଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।
2018 ଜୁଲାଇ 19ରେ ଭଦ୍ରକରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାକୁ ବର୍ଷେ ପୁରିବାକୁ ଯାଉଛି । ହେଲେ ଦୁର୍ଘଟଣାରେ 2 ଗୋଡରେ ଗଭୀର ଆଘାତ ପାଇ ସେବେଠୁ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି ଶୀତଲ ।
ସେ ବଞ୍ଚିବାକୁ ଚାହୁଁଛନ୍ତି ହେଲେ ଅର୍ଥ ସାଜିଛି ବାଧକ । ଯଦି ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କ ଚିକିତ୍ସା ପାଇଁ ହାତ ବଢାନ୍ତି ସେ ପୁଣି ପୂର୍ବ ଭଳି ସ୍କୁଲ ଯାଇପାରିବେ ବୋଲି ଇଚ୍ଛା ବ୍ୟକ୍ତ କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ