ଭଦ୍ରକ: ଶାନ୍ତି, ମୈତ୍ରୀ ଓ ଦାନର ପର୍ବ ଇଦ ଭଦ୍ରକ ସହରରେ ଆଜି ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଉଛି । କୋାରୋନାର ଦ୍ଵିତୀୟ ଲହରୀ ପାଇଁ ଜାରି ହୋଇଥିବା ଲକଡାଉନରେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଡା କଟକଣା ଲଗାଯାଇଛିି । ତେଣୁ ଆଜି ଏହି ପବିତ୍ର ପର୍ବକୁ ମୁସଲିମ ଧର୍ମାବଲମ୍ବୀ ମାନେ ପ୍ରଶାସନର ନିର୍ଦ୍ଧେଶ ଏବଂ ଚଉଦ ମହଲା ମୁସଲିମ ଜମାତର ଅନୁରୋଧ କ୍ରମେ ସାମାଜିକ ଦୂରତା ରଖି ଇଦଗାହ ଓ ବିଭିନ୍ନ ମସଜିଦରେ ନମାଜ ପାଠ କରିଛନ୍ତିି ।
ବିଶେଷ କରି ଇଦଗାହ ଓ ମସଜିଦ ରେ 5 ଜଣ କରି ମୁସଲିମ ଧର୍ମାବଲମ୍ବୀ ମାନେ ଆସି ନମାଜ ପାଠ କରିଛନ୍ତି । ଅନ୍ୟମାନେ ନିଜ ନିଜ ଘରେ ରହି ନମାଜ ପାଠ କରିଥିବା ଦେଖିବାକୁ ମିଳିଛିି । ତେବେ ଭଦ୍ରକ ସହରରେ ଥିବା ଇଦଗାହରେ ଆଜିର ଦିନରେ ହଜାର ହଜାର ମୁସଲମାନ ସମୂହ ନମାଜ ପାଠ କରିବାକୁ ଥିବା ବେଳେ ଆଜି ମାତ୍ର ପାଞ୍ଚ ଜଣରେ ସୀମିତ ରହିଥିଲା ନମାଜ ପାଠ । ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ କରାଯାଉଥିଲେ ମଧ୍ୟ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରେ ରହି ଏହି ପର୍ବକୁ ପାଳନ କରୁଛନ୍ତି ।
ସରକାରଙ୍କ ଗାଇଡ ଲାଇନ ଅନୁସାରେ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ବିକ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଭଦ୍ରକ ଜିଲ୍ଲାପାଳ ଡଃ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ପର୍ବକୁ ଶୃଙ୍ଖଳିତ କରିବା ପାଇଁ 11 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ