ଭଦ୍ରକ: ସାରା ରାଜ୍ୟ ହଇଚଇ ସୃଷ୍ଟି କରିଛି ନୂଆ ଟ୍ରାଫିକ ନିୟମ । ସବୁଠି ଚାଲିଛି ଧରପଗଡ । ହେଲମେଟ, ଗାଡି କାଗଜ ପତ୍ର ଠାରୁ ଆରମ୍ଭ କରି ସବୁ କିଛି ତନ୍ନ ତନ୍ନ ଯାଞ୍ଚ କରୁଛି ଟ୍ରାଫିକ ପୋଲିସ । ଆଉ ମଦ ପିଇ ଗାଡି ଚାଳକଙ୍କ ଠାରୁ କଟା ଯାଉଛି ମୋଟା ଅଙ୍କର ଚାଲାଣ । ଏପରି ସ୍ଥିତିରେ ଏକ ଘରୋଇ ବସର ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଅଟକ ରଖିଛି ।
ପ୍ରାୟ 60 ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ ଭୁବନେଶ୍ବରରୁ ବାରିପଦା ଅଭିମୁଖେ ଯାଉଥିଲା । ଏହି ସମୟରେ ସମ୍ପୃକ୍ତ ବସର ଡ୍ରାଇଭର ମଦ ପିଇ ଗାଡି ଚଳାଉ ଥିବାର ଜାଣିବାକୁ ପାଇଥିଲେ ଯାତ୍ରୀ । ଏପରିକି ଗାଡି ଚାଳନାରେ ବ୍ୟତିକ୍ରମ ହେବାରୁ ଭୟଭୀତ ହୋଇ ଭଦ୍ରକ ଟାଉନ ପୋଲିସକୁ ଜଣାଇଥିଲେ ।
ଖବର ପାଇ ଟାଉନ ପୋଲିସ ଚରମ୍ପା ଛକ ଠାରେ ଉକ୍ତ ବସକୁ ଅଟକାଇବା ସହ ଡ୍ରାଇଭର ନିଶା ସେବନ କରିଛନ୍ତି କି ନାହିଁ ସେ ନେଇ ପରୀକ୍ଷା କରା ଯାଇଥିଲା । ପରେ ଉକ୍ତ ଡ୍ରାଇଭରକୁ ଥାନାରେ ଅଟକ ରଖାଯିବା ସହ ବସ ମାଲିକଙ୍କ ସହ ଯୋଗଯୋଗ କରାଯାଇଥିଲା । ଅନ୍ୟ ଜଣେ ଡ୍ରାଇଭର ଯାତ୍ରୀଙ୍କୁ ନେଇ ବାରିପଦା ଅଭିମୁଖେ ଯାତ୍ରା କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ