ଭଦ୍ରକ: 12 ଦଫା ଦାବି ନେଇ ଆଜି ଦେଶ ବ୍ୟାପି ହରତାଳ। ବିଭିନ୍ନ ଟ୍ରେଡ ୟୁନିୟନ ଓ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାର ପ୍ରଭାବ ଭଦ୍ରକରେ ମଧ୍ୟ ଦେଖିବାକୁ ମିଳିଛି। 16 ନମ୍ବର ଜାତୀୟ ରାଜପଥ ସହିତ ଭଦ୍ରକ ରେଳ ଷ୍ଟେସନରେ ଭଦ୍ରକ - ପଲାସା ଟ୍ରେନ କୁ ମଧ୍ୟ ଆନ୍ଦୋଳନକାରୀ ମାନେ ଅଟକ କରିଛନ୍ତି।
ଭଦ୍ରକ ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା ମାନେ ପିକେଟିଂ କରି ବନ୍ଦ କରୁଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦରଦାମ ନିୟନ୍ତ୍ରଣ, ସର୍ବନିମ୍ନ ମାସିକ ମଜୁରୀ ୨୧ ହଜାର ଟଙ୍କା, ମାଲିକମାନଙ୍କ ସ୍ବାର୍ଥ ପାଇଁ ଶ୍ରମ ଆଇନ ସଂଶୋଧନ ବନ୍ଦ କରିବା, କୃଷି କୃଷକ ଓ କୃଷି ଶ୍ରମିକର ସ୍ବାର୍ଥକୁ ଅଗ୍ରାଧିକାରୀ ଦେଇ ସର୍ବନିମ୍ନ ଧାନର ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା, କୃଷକମାନଙ୍କୁ ଋଣ ଛାଡ କରିବା, ରାଷ୍ଟ୍ରାୟତ ଲାଭଦାୟକ ଉଦ୍ଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରିବା, ଠିକା ବ୍ୟବସ୍ଥା ଓ ଆଉଟ ସୋସିଂ ବନ୍ଦ କରିବା, ଅଣସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ପେନସନ୍, ଇଏସଆଇ ଆଦି ସାମାଜିକ ସୁରକ୍ଷା ପ୍ରଦାନ କରିବା, ଆଶା, ଅଙ୍ଗନବାଡି, ପାଚିକା, ସହାୟକାମାନଙ୍କୁ ମର୍ଯ୍ୟାଦା ପ୍ରଦାନ କରିବା, ୟୁନିୟନ ପଞ୍ଜିକରଣ କରିବା, ବିଦେଶୀ ପୁଞ୍ଜି ବିନିଯୋଗ ବନ୍ଦ କରିବା, ମୋଟରଯାନ ଆକ୍ଟ ୧୯୮୮ର ସଂଶୋଧନ ବାତିଲ କରିବା, ବେକାର ନିଯୁକ୍ତି ସୃଷ୍ଟି କରିବା, ନାଗରିକ ଅଧିକାର ଓ ସମ୍ବିଧାନ ଉପରେ ଆକ୍ରମଣ, ଧର୍ମ ଭିତ୍ତିରେ ଦେଶବାସୀଙ୍କୁ ବିଭାଜନ ବିରୋଧରେ ଏହି ହରତାଳ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି।
ଏହି ଧର୍ମଘଟରେ ସିଆଇଟିୟୁ, କୃଷକସଭା, ଆଦିବାସୀ ଅଧିକାର ମଞ୍ଚ, ଦଳିତ ମଞ୍ଚ, ଗଣତାନ୍ତ୍ରିକ ଯୁବ ଫେଡେରେସନ, କ୍ଷେତ ମଜଦୁର ୟୁନିୟନ, ଗଣତାନ୍ତ୍ରିକ ମହିଳା ସମିତି, ଏସଏଫଆଇ ଓ ଗ୍ରାମୀଣ ଭାରତ ଆଦି ସଂଗଠନ ସାମିଲ ହୋଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟଭି ଭାରତ