ଭଦ୍ରକ: ଜିଲ୍ଲାର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୋରୋନା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସହରାଞ୍ଚଳର ବନ୍ତ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସମେତ ସମିତିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।
ଲୋକମାନଙ୍କୁ ହାତ ଧୋଇବାର ପ୍ରଶିକ୍ଷଣ ଦେବା ସହିତ କିପରି ସତର୍କତା ଅବଲମ୍ବନ କରିବାକୁ ପଡିବ ସେନେଇ ସୂଚନା ଦିଆଯାଇଥିଲା । ଏଥିସହ ସାବୁନ, ସାନିଟାଇଜର ଓ ଟିସୁ ପେପର ବଣ୍ଟନ କରାଯାଇଥିଲା । କୋରୋନା ନେଇ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିବା ସହ ଚଳିତ ବର୍ଷ ଯଥାରୀତିରେ ଶ୍ରୀରାମ ନବମୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ।
କୋରୋନା ନେଇ ସରକାରଙ୍କ ସଚେତନତା କାର୍ଯ୍ୟକ୍ରମକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସ୍ବାଗତ କରିଛନ୍ତି । ହେଲେ ଏନେଇ ବିଧାନସଭାକୁ ମୁଲତବୀ ଘୋଷଣା କରାଯିବାକୁ ସେ ନାପସନ୍ଦ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆମ ପ୍ରତିନିଧି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସମେତ ସମିତିର କର୍ମକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରିଥିଲୁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ