ଭଦ୍ରକ: କୋରନା କାଳରେ ଆଇସକ୍ରିମ ଓ ବରଫ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ଦୟନୀୟ ଅବସ୍ଥାରେ । ଯାହାକୁ ଆଧାର କରି ବର୍ଷକର ଗୁଜୁରାଣ ମେଣ୍ଟିଥାଏ । ସେହି ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଇଛି । ତେଣୁ ଜୀବିକା ହରାଇବା ସହ, ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଏବେ ଆଇସକ୍ରିମ ଓ ବରଫ ବ୍ୟବସାୟୀ ।
କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ, ପ୍ରଶାସନିକ କଟକଣା ଯୋଗୁଁ ଏବେ ସବୁ କିଛି ଠପ ହୋଇଯାଇଛି । ଭଲ ଦିପଇସା ରୋଜଗାର କରିବା ପାଇଁ ଖରାଦିନକୁ ଅପେକ୍ଷା କରିଥାନ୍ତି ଆଇସକ୍ରିମ ବ୍ୟବସାୟୀମାନେ । ଯାହାକୁ ଆଧାର କରି ବର୍ଷକର ଗୁଜୁରାଣ ମେଣ୍ଟିଥାଏ । ହେଲେ ସେହି ସମୟରେ ଲକଡାଉନ ଓ ବର୍ତ୍ତମାନ ବିଭିନ୍ନ ପ୍ରଶାସନିକ କଟକଣା ଯୋଗୁ୍ଁ ସବୁ କିଛି ବନ୍ଦ ହୋଇଯାଇଛି । ତେଣୁ ଜୀବିକା ହରାଇବା ସହ, ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଏବେ ଏହି କୁଟୀର ଶିଳ୍ପ । ଏନେଇ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଏହି ବ୍ୟବସାୟୀ ମାନେ । ଜୀବନ ଓ ଜୀବିକାର ଦୋଛକିରେ ଥିବା ଏହି ଆଇସକ୍ରିମ ଓ ବରଫ ବ୍ୟବସାୟୀମାନ ଇଟିଭି ଭାରତର କ୍ୟାମେରା ଆଗରେ ବଖାଣି ଥିଲେ ସେମାନଙ୍କ ଦରଦ କାହାଣୀ ।
ଭଦ୍ରକ ଜିଲ୍ଲାରେ 35ଟି ବରଫ କଳ ରହିଛି । କେବଳ ସହରାଞ୍ଚଳରେ ରହିଛି 8ଟି ଆଇସକ୍ରିମ ଫ୍ୟାକ୍ଟ୍ରି । ସେଠାରେ କାର୍ଯ୍ୟ କରୁଛନ୍ତି 500ରୁ ଊର୍ଦ୍ଧ୍ୱ କର୍ମଚାରୀ । ସେହିପରି ସହରାଞ୍ଚଳରେ 200ରୁ ଊର୍ଦ୍ଧ୍ୱ ବୁଲା ଆଇସକ୍ରିମ ବିକାଳୀ ଅଛନ୍ତି । ହେଲେ ଏବେ କୋରନା କାଳରେ, ଆଇସକ୍ରିମ ଖାଇବାକୁ ଅଧିକାଂଶ ନାପସନ୍ଦ କରୁଥିବା କହିଛନ୍ତି ଏହି ଆଇସକ୍ରିମ ବିକାଳି । ଏଥିସହ ବରଫ କଳରେ ମଧ୍ୟ କୋରୋନା ପାଇଁ ବ୍ୟବସାୟ ପୂରା ମାନ୍ଦା । ଏକପ୍ରକାର ବରଫ ବ୍ୟବସାୟ ଉପରେ ପଡିଛି ଚଡକ । ତେବେ ଏନେଇ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
କେବେ ସ୍ଥିତି ସାମାନ୍ୟ ହେବ। କେବେ ଆଇସକ୍ରିମ ଓ ବରଫ ବ୍ୟବସାୟୀ ମାନେ ଅଣ୍ଟା ସଳଖି ଛିଡା ହେବେ । ତାହା ସମୟ କହିବ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ