ଭଦ୍ରକ: ରାଜରାସ୍ତାରେ ଠିଆ ହୋଇ ରହିଛି ବିସ୍କୁଟ ବୋଝେଇ କଣ୍ଟେନର । ବାହାରୁଛି ହୁ ହୁ ହୋଇ ନିଆଁ । ଉପାୟଶୂନ୍ୟ ଦେଖଣାହାରୀ ଓ ଏହାର ଡ୍ରାଇଭର । ପୂର୍ବରୁ ମଧ୍ୟ କଣ୍ଟେନରଟିରେ ନିଆଁ ଲାଗିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ପରେ ଜଳିଥିବା ବିସ୍କୁଟ ବୋଝେଇ କଣ୍ଟେନରକୁ ପୋଲିସ ରାଜପଥରୁ ହଟାଇ ନିର୍ମାଣଧୀନ ରାସ୍ତା ଉପରେ ରଖିଥିଲା । ଯେଉଁଥିରେ ଶୁକ୍ରବାର ପୁଣି ନିଆଁ ଲାଗିଥିବା ଦେଖାଯାଇଛି । 16 ନଂ ଜାତୀୟ ରାଜପଥର ଭଦ୍ରକ ସହରର ମୋଟେଲ ଛକ ନିକଟରେ ଏହି କଣ୍ଟେନର ଜଳୁଥିବାର ଦେଖାଯାଇଥିଲା ।
ସୂଚନା ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ 16 ତାରିଖ ଦିନ ଏହି ବିସ୍କୁଟ ବୋଝେଇ କଣ୍ଟେନରଟି ରାଜପଥରେ ବିଶାଖାପାଟଣାରୁ କଲିକତା ଯିବା ବେଳେ ସାହାପୁର ଛକ ନିକଟରେ ଏଥିରେ ନିଆଁ ଲାଗିଥିଲା । ତେବେ ଏହି ଗାଡିକୁ ପରିତ୍ୟକ୍ତ ଅବସ୍ଥାରେ ଜାତୀୟ ରାଜପଥ ଉପରେ ରଖାଯାଇଥିବା ବେଳେ ଏଥିରେ ବାରମ୍ବାର ନିଆଁ ଲାଗୁଥିବା ଦେଖାଯାଉଛି । ଅଗଷ୍ଟ 16 ତାରିଖରୁ ଶୁକ୍ରବାର ପର୍ଯ୍ୟନ୍ତ ଏଥିରେ 3 ଥର ନିଆଁ ଲାଗିସାରିଥିବା ଜଣା ପଡିଛି ।
ଏନେଇ ଡ୍ରାଇଭରଙ୍କ କହିବା ଅନୁଯାୟୀ ଟ୍ରାନ୍ସପୋର୍ଟର କୌଣସି କର୍ମଚାରୀ ଆସିନଥିବାରୁ କଣ୍ଟେନରରୁ ସାମଗ୍ରୀ ବାହାର କରି ହେଉନାହିଁ । ଫଳରେ ସମୟେ ସମୟେ ହଟାତ ଏଥିରେ ନିଆଁ ଲାଗିଯାଉଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ