ଭଦ୍ରକ: ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସାର୍ବଜନୀନ ଦେୟମୁକ୍ତ ଟୀକାକରଣ ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ଦିନ ଏକ କୋଟି ଟୀକାକରଣ କରିବା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।
140 କୋଟି ଭାରତୀୟମାନଙ୍କ ଲାଗି ଅଦ୍ୟାବଧି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ରୂପେ 39 କୋଟି ଟୀକାର ବରାଦ କରିବା ଉଭୟ ସରକାରଙ୍କର ପାରିବାପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ଦୈନିକ 16 ଲକ୍ଷ ଲୋକ ଟୀକାକରଣ ନେଉଥିବା ବେଳେ ଯଦି ଏପରି ଅବସ୍ଥା ସମଗ୍ର ଦେଶରେ ଜାରୀ ରହେ ତେବେ 140 କୋଟି ଲୋକଙ୍କୁ ଟୀକାକରଣ କରିବା ପାଇଁ ପ୍ରାୟ 3 ବର୍ଷ ଲାଗିଯିବ ।
ତେଣୁ କେନ୍ଦ୍ର ସରକାର ଅବିଳମ୍ବେ ଟୀକା କିଣି ଦେୟମୁକ୍ତରେ ରାଜ୍ୟ ଓ ବେସରକାରୀ ହସ୍ପିଟାଲକୁ ଦେଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ତେବେ କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ଦେୟମୁକ୍ତ ସାର୍ବଜନୀନ ଟୀକାକରଣ ବ୍ୟବସ୍ଥା ଅବିଳମ୍ବେ କରି କୋରୋନା ମହାମାରୀକୁ ଦମନ ହେବ । ଏହାହିଁ ଏକମାତ୍ର ରାସ୍ତା ଯାହାଦ୍ୱାରା କୋରୋନା ଉପରେ ବିଜୟଲାଭ ହୋଇପାରିବ ବୋଲି କହିଛି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ