ଭଦ୍ରକ: ବନ୍ତ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ ସେଠୀ ପରିଚାଳନା କମିଟିର ସଭାପତି ରଞ୍ଜନ ବାରିକଙ୍କୁ ସର୍ବସାଧାରଣରେ ମାଡ଼ ମାରିବା ଘଟଣା । ଏହାକୁ ତୀବ୍ର ନିନ୍ଦା କରିଲା କଂଗ୍ରେସ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି, ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଶାସକ ବିଜେଡି ଦଳର ବିଭିନ୍ନ କାର୍ଯ୍ୟ ଶୈଳୀକୁ ସେ ନିନ୍ଦା କରିଛନ୍ତି । ବନ୍ତ ବ୍ଲକ ଅନ୍ତର୍ଗତ ଶିଆଳିଆ ନୋଡ଼ାଉ ଉଚ୍ଚ ବିଦ୍ୟାଳୟ ପରିସରରେ ବନ୍ତ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମାଡ ମାରିବା ଏହାର ଏକ ସ୍ପଷ୍ଟ ଉଦାହରଣ ଅଟେ । ତେଣୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିଲମ୍ବନ କରାଯାଇ ଘଟଣାର ତଦନ୍ତ କରାଯାଉ ବୋଲି ପୂର୍ବତନ ପିସିସି ସଭାପତି ଦାବି କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, "ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟରେ ରହିଲେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏନେଇ କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ, ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଅବଗତ କରାଯାଇଛି । ଯଦି ଆଗାମୀ ଦିନରେ ଏନେଇ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଦୃଢ ଏବଂ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ବନ୍ତ ବ୍ଲକକୁ ଘେରାଉ କରିବା ସହ ତୀବ୍ର ଆନ୍ଦୋଳନ କରାଯିବ ।"
ସର୍ବସମ୍ମୁଖରେ ମାଡ ମାରିବା ଘଟଣାକୁ ନେଇ ଗତକାଲି(ରବିବାର) କଂଗ୍ରେସ ପକ୍ଷରୁ ଏକ ବୈଠକ କରାଯାଇଥିଲା । ଏଥିରେ ଭଣ୍ଡାରୀପୋଖରୀ ଏବଂ ଭଦ୍ରକ ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତା ତଥା କର୍ମୀମାନେ ଉପସ୍ଥିତ ଥିଲେ । ତେବେ ବୈଠକ ସାଙ୍ଗକୁ ଏକ କର୍ମୀ ସମ୍ମିଳନୀ କରାଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଆଗାମୀ ସାଧାରଣ ନିର୍ବାଚନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଲୋକେ ଚାହିଁଲେ ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି ପରୋକ୍ଷ ଭାବେ ସେ କହିଛନ୍ତି ।
ଇଟିଭି ଭାରତ, ଭଦ୍ରକ