ଭଦ୍ରକ: ଗରିବ ଖଟିଖିଆଙ୍କ ପାଇଁ ସେ ସାଜିଛନ୍ତି ଅର୍ଣ୍ଣପୂର୍ଣ୍ଣା । ଲକ ଡାଉନ ପର ଠାରୁ ଭୋକିଲା ମୁହଁରେ ସେ ଦେଉଛନ୍ତି ଦାନା । ଏ ହେଉଛନ୍ତି ଭଦ୍ରକ ଲୁଙ୍ଗା ଅଞ୍ଚଳର ମହିଳା ଚାଷୀ ଛାୟାରାଣୀ ସାହୁ । ସକାଳ ହେଲେ ନିଜ ବାଡିରେ ଚାଷ କରିଥିବା ପନିପରିବାକୁ ତୋଳି ପୁଡିଆ କରନ୍ତି । ଆଉ ତାକୁ ଗାଡିରେ ନେଇ ବାହାରି ଯାଆନ୍ତି ପାଖ ଗାଁକୁ । ଗାଁରେ ଛାୟାରାଣୀଙ୍କ ଗାଡି ଲାଗିଲେ ଲୋକଙ୍କ ମୁହଁରେ ହସ ଫୁଟିଥାଏ । ଆଣିଥିବା ପରିବା ପୁଡିଆକୁ ଲୋକଙ୍କ ମଧ୍ୟରେ ବାଣ୍ଟନ୍ତି । ଆଉ ଏଥିରେ ତାଙ୍କୁ ସହଯୋଗ କରନ୍ତି ପରିବାର ଲୋକ । କେବଳ ପରିବା ନୁହେଁ, ଶୁଖିଲା ଖାଦ୍ୟ, ସାନିଟାଇଜର ଓ ମାସ୍କ ବାଣ୍ଟି ଲୋକଙ୍କୁ କରୁଛନ୍ତି ସଚେତନ ।
କେବଳ ଅସହାୟଙ୍କୁ ନୁହେଁ,କୋରୋନା ଯୋଦ୍ଧା ସାଜିଥିବା ପୋଲିସଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ସେ । କୋରୋନା ଯୁଦ୍ଧରେ ସାମିଲ ହୋଇଥିବା ଛାୟାରାଣୀ ମଧ୍ୟ ଜଣେ ଯୋଦ୍ଧାର ଭୂମିକା ତୁଲାଉଛନ୍ତି । ତାଙ୍କର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି । ତେବେ ସେ ଅନ୍ୟ ମାନଙ୍କ ପାଇଁ ମଧ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଏବେ ସଂଗ୍ରାମ ଜାରି ରହିଛି । ସେଥିରେ ନିପଟ ଉପାନ୍ତ ଅଞ୍ଚଳର ଜଣେ ମହିଳା ଚାଷୀଙ୍କ ଏପରି କାର୍ଯ୍ୟ ବେଶ ପ୍ରଶଂସନୀୟ ।
ଭଦ୍ରକରୁ ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ