ଭଦ୍ରକ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ତ୍ରିରଙ୍ଗାକୁ ଅପମାନ ଘଟଣାରେ ରାଷ୍ଟ୍ର ପାଇଁ ଉପବାସ ପାଳୁଛି ବିଜେପି ଯୁବ ମୋର୍ଚ୍ଚା। ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏହି ଉପବାସ ପାଳନ ହେଉଛି। ଯୁବ ମୋର୍ଚ୍ଚାର ଶତାଧିକ କର୍ମୀ ସହରର ପୁରୁଣା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି କାର୍ଯ୍ୟକ୍ରମ କରିଥିଲେ। ଟ୍ରାକ୍ଟର ରାଲି ବେଳେ ଯେଉଁ ଭଳି କାଣ୍ଡ ଘଟିଛି ତାହା ଦେଶର ଚାଷୀ ଓ ଦେଶବାସୀଙ୍କ ପାଇଁ ଅପମାନଜନକ ବୋଲି କହିଛି ଯୁବ ମୋର୍ଚ୍ଚା।
ତେବେ ଏହାକୁ ନିନ୍ଦା କରିବା ସହ ଉପବାସ ପାଳନ ହୋଇଥିଲା। ଏହାସହ ଏକ ଦସ୍ତଖତ ଅଭିଯାନ ମଧ୍ୟ କରିଛି ବିଜେପି ଯୁବମୋର୍ଚ୍ଚା। ଯେଉଁଥିରେ ସାଧାରଣ ଜନତାଙ୍କ ଦସ୍ତଖତ ଥିବା ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରେରଣ କରାଯିବ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ