ଭଦ୍ରକ: ଜାତୀୟ ସ୍ତରରେ ସଫଳତା ଆଣିଲେ ଭଦ୍ରକର ଛାତ୍ରୀ ବିଶ୍ୱେଶ୍ୱରୀ ଦାସ । ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ସୃଜନାତ୍ମକ ଲିଖନ ପ୍ରତିଯୋଗିତାରେ ବନ୍ଦେ ବିଶ୍ୱେଶ୍ୱରୀ ଦାସଙ୍କ କୃତ୍ତିତ୍ୱ ଲାଭ କରିଛନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହୋଇଥିଲା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନାତ୍ମକ ଲିଖନ ପ୍ରତିଯୋଗିତା । ଯାହାର ବିଷୟ ବସ୍ତୁ ଥିଲା ମୋ ଓଡିଶା 2036 ।
ଏହି ସନ୍ଦର୍ଭରେ ବିଶ୍ୱେଶ୍ୱରୀଙ୍କ ଦ୍ଵାରା ଲିଖିତ ପ୍ରବନ୍ଧଟିକୁ ବିଚାରକ ମଣ୍ଡଳୀ ଶ୍ରେଷ୍ଠ ଲିଖନ ବୋଲି ବିବେଚନା କରିଥିଲେ । ଯାହାକି 19 ବର୍ଷରୁ କମ କନିଷ୍ଠ ବର୍ଗରେ ଏହି ଜାତୀୟ ସ୍ତରୀୟ ସୃଜନାତ୍ମକ ଲିଖନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଛନ୍ତି । ବନ୍ଦେ ବିଶ୍ୱେଶ୍ୱରୀ ଦାସ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରାୟଣ ମାଧବାର୍ଜ୍ଜୁନ କଲେଜର ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଇଂରାଜୀ ସମ୍ମାନର ଛାତ୍ରୀ ।
ଅଧିକ ପଢ଼ନ୍ତୁ: ପାରାଦ୍ବୀପରେ ନେହେରୁ ଓ ବିଜୁଙ୍କୁ ଅସମ୍ମାନ: ପ୍ରତିମୂର୍ତ୍ତି ଭାଙ୍ଗିଲେ, ଅଳିଆ ଗଦାକୁ ଫିଙ୍ଗିଲେ
ବନ୍ଦେ ବିଶ୍ୱେଶ୍ୱରୀ ହେଉଛନ୍ତି ଲେଖକ ଅଧ୍ୟାପକ ବିଶ୍ୱ ରଞ୍ଜନ ଦାସ ଏବଂ ଶିକ୍ଷୟିତ୍ରୀ କଳ୍ପନା ରାଣୀ ବିଶ୍ୱାଳଙ୍କ କନ୍ୟା । ପୂର୍ବରୁ ସେ ତିହିଡ଼ି ବ୍ଳକ ସ୍ତରୀୟ, ଭଦ୍ରକ ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଏବଂ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ତେବେ ସେ ଏଥର ନୂଆଦିଲ୍ଲୀ ‘ଓଡ଼ିଆ ସମାଜ' ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ସୃଜନାତ୍ମକ ଲିଖନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତ୍ତିତ୍ୱ ହାସଲ କରିଛନ୍ତି ।
ଅଧିକ ପଢ଼ନ୍ତୁ: Modi criticises KCR: ବର୍ଷିଲେ ମୋଦି, କେନ୍ଦ୍ର ଯୋଜନାରେ ବାଧା ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର
ସୂଚନା ଅନୁଯାୟୀ, ବନ୍ଦେ ବିଶ୍ୱେଶ୍ୱରୀ ନୂଆ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡ଼ିୟମ କମ୍ପଲେକ୍ସ ପରିସର ଠାରେ ପ୍ରଧାନମନ୍ତ୍ରୀଙ୍କ ହାତରୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥ ରାଶି ଏବଂ ମାନପତ୍ର ଗ୍ରହଣ କରିବେ । ଏହାକୁ ନେଇ କଲେଜରେ ଖୁସିର ଲହରୀ ଖେଳିଯାଇଥିବା ବେଳେ କଲେଜ ଅଧ୍ୟକ୍ଷକ କହିଛନ୍ତି,‘‘ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଆମ କଲେଜର ଛାତ୍ରୀ ବନ୍ଦେ ବିଶ୍ୱେଶ୍ୱରୀଙ୍କ ପୂର୍ଣ୍ଣ ସଫଳତା ନିଶ୍ଚୟ ଅନୁଷ୍ଠାନ ପାଇଁ ଗର୍ବ ଏବଂ ଗୌରବର ବିଷୟ । ଏଥିସହ କଲେଜରେ ଅଧ୍ୟୟନ କରୁଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହିପରି ସଫଳତା ଆଗକୁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ସାଜିବ ବୋଲି କଲେଜର ଅଧ୍ୟକ୍ଷ କହିଥିଲେ ।
ଇଟିଭି ଭାରତ, ଭଦ୍ରକ