ଭଦ୍ରକ: ବନ୍ଧା ପଡିଛି ଶୈଶବ । ପଣତ କାନିରେ ପୁଅକୁ ବାନ୍ଧି ରଖିଛି ଦୁଃଖିନୀ ମାଆ । ଯେଉଁ ବୟସରେ ପୁଅ ଖେଳି ବୁଲିଥାନ୍ତା ସେ ବୟସରେ ମାଆର ଭୟର ବାନ୍ଧି ହୋଇପଡିଛି ବାଳୁତ । ଏ ଘଟଣା ହେଉଛି ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଖଡ଼ିପଦା କୋରକୋଦା ଗାଁର ନବକିଶୋର ସେଠୀଙ୍କ ପୁଅ ବଳରାମଙ୍କ କାହାଣୀ । ଛୋଟ ବେଳୁ ସେ କଥା କହିବାର ଶକ୍ତି ହରାଇବା ପରେ ଧୀରେ ଧୀରେ ମାନସିକ ବିକୃତର ଶିକାର ହୁଅନ୍ତି । ଆଉ ଘରୁ ପଦାକୁ ଦୌଡି ପଳାଇବା ଡରରେ ଆଜି ସେ ମାଆର ପଣତରେ ବାନ୍ଧି ହୋଇରହିଛି ।
ନବକିଶୋର ସେଠୀଙ୍କ ପରିବାର କହିଲେ ସ୍ତ୍ରୀ ବାସନ୍ତୀ ଓ 2 ଝିଅ ସାଙ୍ଗକୁ ବଳରାମ । ବଡ ଝିଅର ବିବାହ ହୋଇସାରିଥିବା ବେଳେ ସାନ ଝିଅ 10ମରେ ପଢୁଛି । ଆଉ ବଳରାମଙ୍କ ଏପରି ଆଚରଣ ଦେଖି ନବ ଓ ତାଙ୍କ ସ୍ତ୍ରୀଙ୍କ ପାଇଁ ଚିନ୍ତା ବଢାଇଦିଏ । କିନ୍ତୁ ପୁଅର ଚିକିତ୍ସା ପାଇଁ କୌଣସି ଅବହେଳା କରନ୍ତି ନାହିଁ ଦମ୍ପତି । ଭଦ୍ରକରୁ କଟକ ପର୍ଯ୍ୟନ୍ତ ଡାକ୍ତରଖାନାକୁ ନେଇ ଦେଖାନ୍ତି। କିନ୍ତୁ ବୋଝ ଉପରେ ନଳିତା ବିଡା ପଡିଲା ପରି ନବକିଶୋର କର୍କଟ ରୋଗର ଶିକାର ହୁଅନ୍ତି । ଗତ 4 ବର୍ଷ ତଳେ ତାଙ୍କର ଦେହାନ୍ତ ହେବା ପରେ ଘରର ସମସ୍ତ ବୋଝ ବାସନ୍ତୀଙ୍କ ଉପରେ ।
ସେପଟେ, ବର୍ଷ ବର୍ଷ ଔଷଧ ଖାଇବାକୁ ଦେଲେ ବଳରାମ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ ବୋଲି ବଳରାମଙ୍କ ଡାକ୍ତର କରିଥିଲେ । ନବକିଶୋରଙ୍କ ଦେହାନ୍ତ ପରେ ଅର୍ଥ ବାଧକ ସାଜେ । ଫଳରେ ମାତ୍ର ଅଳ୍ପଦିନ ଔଷଧ ଦେବାପରେ ଆଉ ଔଷଧ କିଣିବାକୁ ତାଙ୍କ ପାଖରେ ସମ୍ବଳ ନ ଥିଲା । ଆଉ ଔଷଧ ବନ୍ଦ ହେବାପରେ ବଳରାମ ପୁଣି ପୂର୍ବାବସ୍ଥା ଫେରିଆସେ ।
କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟବୀମା ଯୋଜନା ନାଁରେ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା । ହେଲେ ଏହି ସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବାସନ୍ତୀ । ନା ତାଙ୍କ ନାଁରେ ଅଛି ସ୍ବାସ୍ଥ୍ୟବୀମା ନା ମିଳିଛି ସରକାରୀ ସହାୟତା । ଏକ ମାତ୍ର ପୁଅର ଚିକିତ୍ସା ପାଇଁ ବାସନ୍ତୀ ସରକାରୀ ସହାୟତା ଆଶାରେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ପାଖରେ ନିଜର ଗୁହାରି ଜଣାଇଥିଲେ ମଧ୍ୟ ଏଯାଏଁ କୌଣସି ସରକାରୀ ସୁବିଧା ପାଇନଥିବା ଦୁଃଖର ବିଷୟ । ଏଭଳି ଘଟଣା ବିଷୟରେ ଜାଣିବା ପରେ ସମସ୍ତ ସରକାରୀ ସୁବିଧା ଯୋଗାଇଦେବାକୁ କହିଛନ୍ତି ଏଡିଏମଓ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ