ଭଦ୍ରକ: ଆଜି ଠାରୁ ଆଠ ଦଫା ଦାବିରେ ଆୟୁଷ ଡାକ୍ତରମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରୁଥିବା ଜଣାଯାଇଛି। ଓଡିଶା ଆୟୁଷ ଡାକ୍ତର ସଂଘର ଡାକରାରେ ବ୍ଲକର ସମସ୍ତ ଆୟୁଷ ଡାକ୍ତର ଏଥିରେ ସାମିଲ ହୋଇଥିବା ସୂଚନା ମିଳିଛି। ବିଭିନ୍ନ ସମୟରେ ଅବଗତ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଏମାନେ।
ତେବେ କଳା ବ୍ୟାଚ ପରିଧାନ କରି ଶୃଙ୍ଖଳାପୂର୍ଣ୍ଣ ଭାବେ ଏହି ଡାକ୍ତରମାନେ ସରକାରୀ କାର୍ଯ୍ୟ କରୁଛନ୍ତି। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଆୟୁଷ ଡାକ୍ତରମାନେ କୋଭିଡ କେୟାର ସେଣ୍ଟର, କଣ୍ଟ୍ରୋଲ ରୁମ୍, ନିଷିଦ୍ଧାଞ୍ଚଳରେ ଜରୁରୀ କାଳିନ ସେବା, ଓପିଡି ଆଦି ସେବା ବନ୍ଦ ନକରି କାର୍ଯ୍ୟ କରିବାକୁ ସଂଘ ପକ୍ଷରୁ କୁହାଯାଇଛି।
ଖବର ଅନୁଯାୟୀ ଏହି ଡାକ୍ତରମାନେ ଗତ 2013 ମସିହାରେ ସରକାରଙ୍କ ଦ୍ବାରା ନିଯୁକ୍ତି ହୋଇଥିଲେ ମଧ୍ୟ ଏଯାବତ ନିୟମିତ କରାଯାଇ ନାହିଁ। ସମାନ କାମକୁ ସମାନ ଦରମା, କୋରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା, ମାସିକ ବେତନ ସର୍ବନିମ୍ନ 50 ହଜାର ଟଙ୍କାକୁ ବୃଦ୍ଧି କରିବା, ସେମାନଙ୍କୁ ଡାଇରେକ୍ଟୋରେଟ ଅଧିନକୁ ନିଆଯିବା, ସ୍କୁଲ ଓ ଅଙ୍ଗନୱାଡି ପିଲାମାନଙ୍କୁ ଯେପରି ଏଲୋପାଥିକ ଔଷଧ ଦିଆଯାଉଛି ସେହିପରି ଆୟୁର୍ବେଦିକ୍ ଓ ହୋମିଓପ୍ୟାଥିକ୍ ଔଷଧ ପ୍ରଦାନ କରିବା ଏବଂ ନିୟମିତ ଭାବେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ କରିବା ଆଦି ଦାବି କରାଯାଇଛି।
ସୂଚନା ଅନୁଯାୟୀ ରାଜ୍ୟରେ 2013 ରେ ନିୟୋଜିତ ହୋଇଥିବା ଏକ ହଜାରରୁ ଊର୍ଦ୍ଧ୍ବ ଡାକ୍ତର ଥିବାବେଳେ ଭଦ୍ରକ ଜିଲ୍ଲାରେ 28 ଓ ତିହିଡି ବ୍ଲକରେ 4 ଜଣ ଡାକ୍ତର ଏହି କଳା ବ୍ୟାଚ ପରିଧାନରେ ସାମିଲ ହୋଇଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ