ଭଦ୍ରକ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ନିଲମ୍ବିତ କଲେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ । କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକତାଠାରୁ ଅଧିକ ମାଡ଼ ଓ ଅସଦାଚାରଣ ଭଳି ଅଭଯୋଗ ହେଉଥିଲା । ଏଭଳି କାର୍ଯ୍ୟରୁ ବିରତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।
ପର୍ଶୁରାମ ବେହେରା ନାମକ ସହକାରୀ ଶିକ୍ଷକ ଷଷ୍ଠ ଶ୍ରେଣୀର ଦୁଇଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଏହାକୁ ନେଇ ଉତ୍ତ୍ୟକ୍ତ ଅଭିଭାବକ ସମ୍ପୃକ୍ତ ଶିକ୍ଷକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅନ୍ତର୍ଗତ ଗୁଆଁଳ ଗାଁରେ ଏହି ଘଟଣା ଘଟିଥିଲା । ସଂପୃକ୍ତ ଶିକ୍ଷକଙ୍କୁ ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ।
ଚାନ୍ଦବାଲି ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ କୁମାର ନାୟକଙ୍କ ନେତୃତ୍ବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ ବିଆରସିସିଙ୍କ ଜରିଆରେ ଘଟଣାର ତଦନ୍ତ କରାଯାଇଥିଲା । ରିପୋର୍ଟ ଆସିବା ପରେ ସହକାରୀ ଶିକ୍ଷକ ପର୍ଶୁରାମ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ଇଟିଭି ଭାରତ, ଭଦ୍ରକ