ଖୋର୍ଦ୍ଧା: ପୁଣି ବଧୂ ହତ୍ୟା ଅଭିଯୋଗ । ବର୍ଷକ ତଳେ ପ୍ରେମ ବିବାହ କରିଥିବା ଜଣେ ନବ ବଧୂଙ୍କୁ ତାଙ୍କ ସ୍ବାମୀ ଓ ନଣନ୍ଦ ବାଡେଇ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୌତୁକ ପାଇଁ ଦାବି କରି ସେମାନେ ଏଭଳି କାଣ୍ଡ ଭିଆଇଥିବା ମୃତ ମହିଳାଙ୍କ ବାପଘର ଲୋକେ ଆରୋପ ଲଗାଇଛନ୍ତି । ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଗାନ୍ଧୀନଗର କଲୋନୀରୁ ସାମ୍ନାକୁ ଆସିଛି ଏହି ଘଟଣା । ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଗାନ୍ଧୀନଗର କଲୋନୀରେ ଭଡାରେ ରହୁଥିବା ଯାଜପୁର କୁଳିକଣା ଗାଁର ସୁକାନ୍ତ ରାଉତ ବର୍ଷକ ତଳେ ବେଗୁନିଆ ଥାନା ଅନ୍ତର୍ଗତ ସୀମାପଲ୍ଲୀ ଗାଁର ହୃଷିକେଶ ପାତ୍ରଙ୍କ ଝିଅ ଶୋଭାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷ ଝିଅ ଶାଶୁଘରକୁ ଆବଶ୍ୟକ ଯୌତୁକ ଦେଇଥିଲେ ମଧ୍ୟ ଅଧିକ ଯୌତୁକ ଦାବି କରି ସ୍ବାମୀ ଓ ନଣନ୍ଦ ମହିଳାଙ୍କୁ ଅନେକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ବୁଧବାର ଦିନ ମହିଳାଙ୍କୁ ସେମାନେ ମିଶି ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବାପଘର ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ଏବଂ ଅଭିଯୁକ୍ତ ସ୍ବାମୀଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ